ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ୨୨ ବର୍ଷ ପୂରିଛି । ଠିକ ଆଜିର ଦିନରେ ସଂସଦ ଉପରେ ଆକ୍ରମଣ ହୋଇଥିଲା | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ନେତାମାନେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଆତଙ୍କୀ ଆକ୍ରମଣରେ ଦେଶର ୯ ଜଣ ବୀର ଯବାନ ସହିଦ ହୋଇଥିଲେ । ଆଜି ପ୍ରଧାନମନ୍ତ୍ରୀ ସହିଦଙ୍କ ପରିବାର ଲୋକଙ୍କୁ ଭେଟି ସାନ୍ତ୍ବନା ଦେଇଥିଲେ |
ସୂଚନା ଅନୁଯାୟୀ ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ସଂସଦ ଭବନ ଉପରେ ଆତଙ୍କୀ ହମଲା ହୋଇଥିଲା । ଏହି ଆକ୍ରମଣରେ ସମସ୍ତ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୯ ଜଣ ସୁରକ୍ଷା କର୍ମୀ ପ୍ରାଣବଳି ଦେଇଥିଲେ । ତେବେ ସମସ୍ତ ମନ୍ତ୍ରୀ ଏବଂ ସାଂସଦ ସୁରକ୍ଷିତ ଥିଲେ । ସହିଦଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ସମେତ ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶ୍ରଦ୍ଧାଞ୍ଜଳି ଦେବା ସହ ସହିଦଙ୍କ ଉଦ୍ଦେଶ୍ୟରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିର ଦିନକୁ ମନେ ପକାଇବା ସହ ଟ୍ବିଟ୍ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଲେଖିଛନ୍ତି, “ରାଷ୍ଟ୍ର ସବୁବେଳେ ସେହି ବୀରମାନଙ୍କ ପାଖରେ ଋଣୀ ରହିବ । ଯେଉଁମାନେ 2001ରେ ସଂସଦ ଉପରେ ହୋଇଥିବା ଆତଙ୍କୀ ହାମଲାରେ ନିଜ ପ୍ରାଣବଳୀ ଦେଇଛନ୍ତି ।”ରାଷ୍ଟ୍ରପତି ଟ୍ବିଟ୍ କରି ଲେଖିଛନ୍ତି,”22 ବର୍ଷ ପୂର୍ବେ ଏହି ଦିନ, ଦେଶର ମୁଖ୍ୟ ରାଜନୈତିକ ନେତୃତ୍ବମାନଙ୍କୁ ହତ୍ୟା କରିବା ପାଇଁ ଓ ଆମ ଗଣତନ୍ତ୍ରର ମନ୍ଦିରକୁ କ୍ଷତି ପହଞ୍ଚାଇବା ପାଇଁ ଆତଙ୍କବାଦୀମାନଙ୍କ ଯୋଜନା ଆମ ବୀର ସୁରକ୍ଷାକର୍ମୀମାନେ ପଣ୍ଡ କରିଦେଇଥିଲେ । ଯେଉଁଥିରେ ମାତୃଭୂମି ପାଇଁ 9ଜଣ ପ୍ରାଣବଳୀ ଦେଇଥିଲେ । ଦେଶ ସବୁବେଳେ ସେମାନଙ୍କ ନିକଟରେ ଋଣୀ ହୋଇ ରହିବ । “