ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଡ଼ା ସୁରକ୍ଷା ବଳୟକୁ ଭେଦି ଦୁଇ ଯୁବକ ଲୋକସଭାରେ ପଶିବା ଘଟଣା ସାରା ଦେଶକୁ ଆଚମ୍ବିତ କରିଛି । ସଂସଦ ସୁରକ୍ଷାରେ ଏହି ଗୁରୁତର ତ୍ରୁଟି ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠନ କରାଯାଇଥିବା ବେଳେ ଦିଲ୍ଲୀ ପୋଲିସ ମଧ୍ୟ ୟୁଏପିଏ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଂସଦରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ୫ ଅଭିଯୁକ୍ତଙ୍କ ବିରୋଧରେ UAPA(ଅସାମାଜିକ କାର୍ଯ୍ୟକଳାପ ନିରୋଧ ଆଇନ)ରେ ମାମଲା ରୁଜୁ ହୋଇଛି । ଏବେ ବି ଆଉ ଜଣେ ଅଭିଯୁକ୍ତ ଫେରାର୍ ରହିଛି । ସଂସଦରେ ସ୍ମୋକ୍ ଆଟାକ୍ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ତଦନ୍ତ କମିଟି । ଲୋକସଭା ସେକ୍ରେଟାରିଏଟର ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସିଆରପିଏଫ୍ ଡିଜି ଅନୀଶ ଦୟାଲ ସିଂ ଏହାର ନେତୃତ୍ୱ ନେବେ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସି ଓ ବିଶେଷଜ୍ଞ ଏଥିରେ ସାମିଲ ରହିବେ ।
ପ୍ରବେଶ ପଥରେ ଫୁଲ୍ ବଡି ସ୍କାନର ଲାଗିବ ଏବଂ ସୁରକ୍ଷା ପ୍ରୋଟକଲ ସଂଶୋଧନ କରାଯିବ । ସାଂସଦ, ଷ୍ଟାଫ୍ ଓ ସାମ୍ବାଦିକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରବେଶ ପଥ ରହିବ । ଯେତେବେଳେ ଭିଜିଟର୍ସ ପାସ୍ ଉପରୁ ବ୍ୟାନ ହଟିବ, ସେତେବେଳେ ଦର୍ଶକମାନେ ଚତୁର୍ଥ ଗେଟ୍ ଦେଇ ପଶିବେ । ଭିଜିଟର୍ସ ଗ୍ୟାଲେରି ଆଗରେ କାଚ ଲାଗିବ, ଯେପରି କେହି ସାଂସଦମାନଙ୍କ ନିକଟକୁ ଯାଇପାରିବେ ନାହିଁ । ଏଥିସହ ହାଉସ୍ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ିବ।
ସେପଟେ ସଂସଦରେ ସ୍ମୋକ୍ ଆଟାକ୍ ଘଟଣାରେ ବଡ଼ ଖୁଲାସା ହୋଇଛି । ଘଟଣାରେ ୪ ଜଣ ନୁହେଁ, ୬ ଜଣଙ୍କର ରହିଛି ସଂପୃକ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଗିରଫ ହୋଇଥିବା ବେଳେ, ଆଉ ଜଣେ ଫେରାର୍ ଥିବା ସୂଚନା ମିଳିଛି । ୬ ଅଭିଯୁକ୍ତ ହେଲେ ଲୋକସଭାରେ ପଶିଥିବା ସାଗର ଶର୍ମା ଓ ଡି. ମନୋରଞ୍ଜନ, ସଂସଦ ଭବନ ବାହାରେ ସ୍ମୋକ୍ କ୍ୟାନ୍ ଫୁଟାଇଥିବା ନୀଲମ ଦେବୀ ଓ ଅମୋଲ ସିନ୍ଦେ, ସେମାନଙ୍କ ସହଯୋଗୀ ଭିକି ଶର୍ମା ଏବଂ ଏହି ୫ ଜଣ ରହୁଥିବା ଘରର ମାଲିକ ଲଳିତ ଝା ।