ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀମନ୍ଦିରରେ ତିନି ଦିନ ଧରି ଚାଲିଥିବା ଦେବ ଦୀପାବଳି ନୀତି ଆଜି ଶେଷ ହୋଇଛି। ଆଜି ଶୁକ୍ଳ ପ୍ରତିପଦ ତିଥିରେ ବି ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପାଞ୍ଜି ଅନୁସାରେ ଆଜି ଶେଷ ଦିନରେ ମହାପ୍ରଭୁ ଶ୍ରୀକୃଷ୍ଣ ରୂପରେ ଦ୍ବାପର ଯୁଗର ଦେବକୀ ଓ ବସୁଦେବ ଏବଂ ନନ୍ଦ ଓ ଯଶୋଦାଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ପିଣ୍ଡଦାନ କରିଛନ୍ତି।
ଏହି ସମୟରେ ଦକ୍ଷିଣଘରୁ ମଦନମୋହନ ଭିତର ସିଂହାସନକୁ ବିଜେ କରିଥିଲେ। ମୁଦିରସ୍ତ ପ୍ରସାଦ ଲାଗି କଲା ପରେ ତିନି ବାଡ଼ରୁ ପୂଜାପଣ୍ଡା ଆସି ଚାଉଳ ଗଛକୁ ସଂସ୍କାର କରି ପାଣି ଛଡ଼ାଇଥିଲେ। ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ରେ ବନ୍ଦାପନା କରିଥିଲେ। ପ୍ରଭୁ ମଦନମୋହନ, ମା’ ଲକ୍ଷ୍ମୀ ଓ ମା’ ସରସ୍ବତୀ ଅଜ୍ଞାମାଳ ପାଇବା ପରେ ମହାଜନ ସେବକ ହାତରେ ବିଜେ କରାଇ ଆଣି ଜୟବିଜୟ ଦ୍ବାର ଭିତର ପାଖେ ଠିଆ ହୋଇ ରହିଥିଲେ। ସେଠାରେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ୩ଜଣ ପୂଜାପଣ୍ଡା ସଂସ୍କାର କରି ପାଣି ଛଡ଼ାଇବା ପରେ ପାଳିଆ ପଢ଼ିଆରୀ ଜୟବିଜୟ ଦ୍ବାର ଫିଟାଇଥିଲେ। ଏହା ପରେ ମହାଜନ ସେବକ ଠାକୁରଙ୍କୁ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରାଇଥିଲେ।
ରୁନ୍ଧା ବଢ଼ିଲା ପରେ ବିମାନବଡ଼ୁ ସେବକମାନେ ବିମାନକୁ ଜଗନ୍ନାଥବଲ୍ଲଭ ମଠକୁ ବିଜେ କରାଇଥିଲେ। ଶ୍ରୀଜଗନ୍ନାଥବଲ୍ଲଭ ମଠରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ସୁଆଁସିଆ ଦେଇଥିବା କାଠ ଭଦ୍ରାସନ ଉପରେ ଆସ୍ଥାନ ପଢ଼ିଆରୀ ଚାଉଳ ଗଛ କରି ଚାପ ବସାଇଥିଲେ। ମୁଦିରସ୍ତ ପ୍ରସାଦ ଲାଗି କଲା ପରେ ଗଛକୁ ସଂସ୍କାର କରି ପାଣି ଛଡ଼ା ଯାଇଥିଲା ଓ ମୁଦିରସ୍ତ ସେବକଙ୍କ ଦ୍ବାରା ବନ୍ଦାପନା କାର୍ଯ୍ୟ ସଂପାଦନ ହୋଇଥିଲା। ଏହାପରେ ଠାକୁରଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା।