ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସ୍ମାର୍ଟଫୋନ୍ ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ନିତିଦିନିଆ ଉପକରଣ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସ୍ମାର୍ଟଫୋନର ବ୍ୟବହାର ଏବେ ଧିରେ ଧିରେ ସମସ୍ତଙ୍କ ନିଶାରେ ପରିଣତ ହୋଇଗଲାଣି । ଛୋଟରୁ ବଡ ସମସ୍ତଙ୍କ ହାତରେ ଏବେ ସ୍ମାର୍ଟଫୋନ । ଏବେ ସ୍ମାର୍ଟଫୋନ ବ୍ୟବହାର କରିବା ପିଲାମାନଙ୍କ ଅଭ୍ୟାସ ହୋଇସାରିଛି । ପିଲା ମାନେ ଘଂଟା ଘଂଟା ଧରି ଫୋନକୁ ଦେଖୁଛନ୍ତି, ଫୋନ ଦେଖି ଦେଖି ଖାଉଛନ୍ତି, ଫୋନରେ ଗେମ୍ ଖେଳୁଛନ୍ତି ଏବଂ ଫୋନ ଦେଖିକି ଶୋଉଛନ୍ତି । କିନ୍ତୁ ସବୁଠାରୁ ବଡକଥା ୬ମାସରୁ ୧୦ବର୍ଷ ମଧ୍ୟରେ ଅଧିକାଂଶ ପିଲାଙ୍କର ବ୍ୟକ୍ତିଗତ ସ୍ମାର୍ଟଫୋନ୍ ନାହିଁ କିନ୍ତୁ ସେମାନଙ୍କ ବାପାମାଆ ସ୍ମାର୍ଟଫୋନ ବ୍ୟବହାର କରୁଥିବାରୁ ସେମାନେ ଏହି ନିଶାରେ ପଡିଯାଉଛନ୍ତି । ଫୋନ ଓ ଗେମ୍ ଯୋଗୁଁ ପାଠ ପଢା ଓ ବାହାରେ ଯାଇକି ଖେଳକୁଦ କରିବା ସବୁ କିଛିରୁ ସମ୍ପୂଣ୍ଣôର୍ ଅଲଗା ହୋଇଯାଇଛନ୍ତି । ଯଦି ଆପଣଙ୍କ ପିଲାମାନେ ଏହିପରି ଅଭ୍ୟାସରେ ଅଭ୍ୟସ୍ତ ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହାର ପରିଣାମ ପାଇଁ ପିଲା ନୁହେଁ , ବାପାମାଆ ଦାୟୀ ହୋଇଥାନ୍ତି । ତେବେ ଆସନ୍ତୁ ସେସବୁ ଉପରେ ଧ୍ୟାନ ଦେବା ।
କିପରି ଛଡେଇବେ ଫୋନ୍-
ବିଶେଷଜ୍ଞଙ୍କ ମତରେ ପିଲାମାନଙ୍କ ଫୋନ୍ ନିଶା ଛଡେଇବାକୁ ହେଲେ ପ୍ରଥମେ ବାପାମାଆଙ୍କୁ ନିଜ ଫୋନ୍ ଠାରୁ ଦୂରେଇ ରହିବାକୁ ହେବ । କେବଳ ଯେ ପିଲା ମାନଙ୍କୁ ଯାହା ଶିଖାଯାଏ ସେମାନେ ତାହା ଶିଖନ୍ତି ତାହା ନୁହେଁ, ପିଲାମାନେ ଯାହା ଦେଖନ୍ତି ତାହା ମଧ୍ୟ ଶିଖନ୍ତି । ଯଦି ସେମାନେ ଆପଣଙ୍କୁ ଫୋନ୍ ବ୍ୟବହାର କରୁଥିବା ଦେଖନ୍ତି, ସେମାନେ ନିଜେ ଏହାକୁ ବ୍ୟବହାର କରିବା ଆରମ୍ଭ କରିବେ । ପରେ ଏହି ଅଭ୍ୟାସ ବଢିବାକୁ ବେଶି ସମୟ ଲାଗିବ ନାହିଁ ।
ତେବେ ଏଥିପାଇଁ ୬ଟି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ଆସନ୍ତୁ ଜାଣିବା କଣ ।
୧. ଖାଇବା ସମୟରେ ଆପଣ ନିଜେ କେବେ ବି ଫୋନ୍ ବ୍ୟବହାର କରନ୍ତୁ ନାହିଁ କିମ୍ବା ପିଲାମାନଙ୍କୁ ଦେଖାନ୍ତୁ ନାହିଁ । ସେମାନଙ୍କୁ ଫୋନ ଠାରୁ ଦୂରେଇ ରଖନ୍ତୁ ।
୨. ଶୋଇବା ପୂର୍ବରୁ ନିଜେ କେବେ ବି ଫୋନ ବ୍ୟବହାର କରନ୍ତୁ ନାହିଁ ।
୩. ଆପଣ ଯଦି ବିଛଣାରେ ଶୋଇ ଫୋନ ବ୍ୟବହାର କରନ୍ତି ତେବେ ପିଲାମାନେ ମଧ୍ୟ ଫୋନ ପ୍ରତି ଆକର୍ଷିତ ହେବେ ।
୪. ଏବଂ ସ୍ମାଟଫୋନ କେତେ କ୍ଷତିକାରକ ତାହା ପିଲା ମାନଙ୍କୁ ବୁଝାଇବା ଉଚିତ୍ ।
୫. ଯେତେବେଳେ ବି ପିଲାମାନେ ଫୋନ୍ ପ୍ରତି ଆଗ୍ରହ ଦେଖାଉଛନ୍ତି ସେତେବେଳେ ସେମାନଙ୍କୁ ଅନ୍ୟ ମନୋରଂଜନ ପ୍ରତି ଆଗ୍ରହ ସୃଷ୍ଟି କରାନ୍ତୁ, ଯେପରିକି ପାର୍କରେ ଯାଇ ଖେଳିବା କିମ୍ବା ସାଇକେଲ ଚଳାଇବା ।
୬. ପିଲା ଯଦି ବଡ ହୋଇଯାଇଛି ଏବଂ ମୋବାଇଲ ବ୍ୟବହାର କରୁଛି ତେବେ ହ୍ୱାଟ୍ସଆପ୍ ବା ସୋସିଆଲ ମିଡିଆ ପ୍ଲାଟଫର୍ମ ବିଷୟରେ ସଚେତନା କରାନ୍ତୁ ।