ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ଆଜି ସକାଳୁ ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଇଛନ୍ତି ଯଶୋଦା ମା । ଏଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତି । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ମା ଯଶୋଦା ଏହି ପହିଲି ଭୋଗ ଖୁଆଇଥିଲେ କୃଷ୍ଣ ବଳରାମଙ୍କୁ ।

ସେହି ପୌରାଣିକକୁ ମନେପକାଇ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ପହିଲି ଭୋଗ । ଧନୁ ସଂକ୍ରାନ୍ତିରେ ଆଜି ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଆଉ ଶେଷ ହେବ ମକର ସଂକ୍ରାନ୍ତି ଦିନ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି କାନ୍ତି କରାଯାଇ ପ୍ରତିଦିନ ପହିଲି ସକାଳୁ ଶ୍ରୀଜିଉଙ୍କୁ ଅର୍ପଣ କରାଯିବ ଏହି ବିଶେଷ ଭୋଗ ପହିଲି ଭୋଗ । ଏହି ଭୋଗ ପାଇବା ପାଇଁ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତସମୂହ ସମସ୍ତେ ଅପେକ୍ଷା କରିଥାନ୍ତି ବର୍ଷକୁ ଥରେ ଏହି ସ୍ୱତନ୍ତ୍ର ପହିଲି ଭୋଗ ପାଇବା ପାଇଁ । ତେବେ ସକାଳ ହୋଇଗଲେ ଯଦି ଭୋଗ ନ ଲାଗିଥାଏ ଏହି ଭୋଗ ମାରା ହୋଇଯିବାର ବିଧି ମଧ୍ୟ ରହିଛି ।

ପହିଲି ଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଯାୟୀ ରାତି ୨ଟା ୪୦ରୁ ଶ୍ରୀମନ୍ଦିରର ଦ୍ୱାର ଫିଟାଯାଇ ମହାପ୍ରଭୁଙ୍କର ମଙ୍ଗଳ ଆରତୀ କରାଯାଇ ଥାଏ । ଭୋର ୬ଟା ଭିତରେ ମଇଲମ, ତଡପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଗୋପାଳବଲ୍ଲଭ ନୀତି ଶେଷ କରାଯାଇଛି । ଏହାପରେ ଶ୍ରୀଜିଉଙ୍କର ପହିଲି ଭୋଗ ନୀତି ସମ୍ପାଦନ କରାଯାଇଛି । ପହିଲି ଭୋଗରେ ଶ୍ରୀଜିଉଙ୍କୁ ଅର୍ପଣ କରାଯାଇ ଥାଏ ୩୨ ପ୍ରକାର ପିଠା ।

Leave A Reply

Your email address will not be published.