ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କର୍ଣ୍ଣାଟକରେ ହେବ ମହାରାଷ୍ଟ୍ର ପରି ଖେଳ । ଭାଙ୍ଗିବ କଂଗ୍ରେସ ସରକାର । ରାଜ୍ୟରେ ପୁଣି ଥରେ ଗାଦି ସମ୍ଭାଳିବ ବିଜେପି । କଂଗ୍ରେସ ନେତାମାନେ କେହି ଦଳ ପ୍ରତି ପ୍ରତିବଦ୍ଧ ନୁହନ୍ତି । ନିଜସ୍ୱ ସ୍ୱାର୍ଥ ହାସଲ ପାଇଁ ସେମାନେ ସବୁବେଳେ ତତ୍ପର । ଏଣୁ ବ୍ୟକ୍ତିଗତ ଲାଭର ଯନô ନେବା ପାଇଁ ମଉକା ଖୋଜୁଛନ୍ତି । ଏହି କ୍ରମରେ ପ୍ରାୟ ୫୦ରୁ ୬୦ କଂଗ୍ରେସର ବିଧାୟକ ବିଜେପିରେ ଯୋଗ ଦେବାକୁ ମସୁଧା କରୁଛନ୍ତି । ଏଭଳି କିଛି କହି କଂଗ୍ରେସ ଉପରେ ବର୍ଷିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କର୍ଣ୍ଣାଟକ ଜେଡି ଅଧ୍ୟକ୍ଷ ଏଚଡି କୁମାରସ୍ୱାମୀ । ୨୦୨୪ ଲୋକସଭା ନିର୍ବାଚନ ପରେ ଏପରି ସ୍ଥିତି ଉପୁଜିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି ।
କୁମାର ସ୍ୱାମୀଙ୍କ ଦାବି ଅନୁଯାୟୀ ରାଜ୍ୟରେ କଂଗ୍ରେସ ସରକାରର ଜଣେ ବରିଷ୍ଠ ମନ୍ତ୍ରୀ ବିଜେପି ଯୋଗାଯୋଗରେ ଅଛନ୍ତି । ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ଏନେଇ ଆଲୋଚନା ମଧ୍ୟ କରିଛନ୍ତି । ଆସନ୍ତା ଲୋକସଭା ନିର୍ବାଚନ ପରେ ଉକ୍ତ ମନ୍ତ୍ରୀଜଣକ ୫୦ରୁ ୬୦ ବିଧାୟକଙ୍କ ସହ ବିଜେପିରେ ଯୋଗଦେବେ । ଏଥିପାଇଁ ସେ କେଇ ମାସ ସମୟ ମାଗିଛନ୍ତି । ତେବେ ଉକ୍ତ କଂଗ୍ରେସ ମନ୍ତ୍ରୀଙ୍କ ନାମ ପ୍ରକାଶ କରିନାହାନ୍ତି କୁମାରସ୍ୱାମୀ ।
ସେ ଆହୁରି କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ କିଛି ବି ଘଟି ପାରେ । ମହାରାଷ୍ଟ୍ର ଭଳି ସମାନ ଘଟଣା କର୍ଣ୍ଣାଟକରେ ବି ଘଟିପାରେ । କାରଣ ବହୁ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେବାକୁ ଅନାଇ ରହିଛନ୍ତି । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ରାଜନୀତିରେ ଏହା ସବୁବେଳେ ଘଟିଛି । ଆଗକୁ ବି ଏପରି କିଛି ଘଟିବ । ଏପରି ବୟାନ ରଖି କୁମାରସ୍ୱାମୀ କଂଗ୍ରେସ ଶିବିରରେ କୋକୁଆ ଭୟ ସୃଷ୍ଟି କରିଛନ୍ତି । ତେବେ ଆଗରୁ ମଧ୍ୟ ଏଭଳି ଚର୍ଚ୍ଚା ହେଉଥିଲା । କିନ୍ତୁ କୁମାରସ୍ୱାମୀଙ୍କ ମୁହଁରୁ ଏଭଳି ବୟାନ ଆସିବା ପରେ ବଢିଛି କଂଗ୍ରେସ ପାଇଁ ଅଡୁଆ ।
ଉଲ୍ଲେଖନୀୟ ବିଷୟ ହେଉଛି, ଗତ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକର ୨୨୪ଟି ଆସନ ମଧ୍ୟରୁ କଂଗ୍ରେସ ୧୩୫ଟି ଏବଂ ବିଜେପି ୬୬ଟିରେ ବିଜୟୀ ହୋଇଥିଲେ । ହେଲେ ସରକାର ଗଠନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗାଦି ପାଇଁ ଦଳରେ ମତାନ୍ତର ହୋଇଥିଲା । ସେତେବେଳେ ମଧ୍ୟ କଂଗ୍ରେସର କେତେକ ବିଧାୟକ ଦଳରୁ ଅଲଗା ହୋଇ ବିଜେପି ସହ ମିଶି ସରକାର ଗଢିବେ ବୋଲି କୁହାଯାଇ ଥିଲା ।