ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଓଢଣ ଷଷ୍ଠୀ ପର୍ବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମାର୍ଗଶୀର ଶୁକ୍ଳ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଓଢଣ ଷଷ୍ଠୀ ପର୍ବ। ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ ଘୋଡ଼ ଲାଗି କରାଯାଇଛି। ପତନି, ଗୀତଗୋବିନ୍ଦ ପାଟ ଓ ସୁତାପାଟରେ ପ୍ରସ୍ତୁତ ଶୀତବସ୍ତ୍ର ବା ଘୋଡ଼ ପରିଧାନ କରିଛନ୍ତି ମହାପ୍ରଭୁ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କୁ ଶୀତବସ୍ତ୍ର ପରିଧାନ କରାଯାଇଛି । ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବାୟତମାନେ ମହାପ୍ରଭୁଙ୍କ ଏହି ଘୋଡ଼ ବା ଶୀତବସ୍ତ୍ର ବେଶ୍ ନିଷ୍ଠାର ସହ ତିଆରି କରିଛନ୍ତି ।

ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ତେବେ ଘୋଡ ଲାଗି ଅବସରରେ ଶ୍ରୀଜିଉମାନେ ବିଭିନ୍ନ ବାରରେ ବିଭିନ୍ନ ପ୍ରକାରର ଘୋଡ ପରିଧାନ କରିବେ । ଆଜି ଓଢ଼ଣ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ସହ ମଇଲମ ବଢ଼ିବା ପରେ ଠାକୁରମାନଙ୍କୁ ପାଗ ଓ ଘୋଡ଼ ଲାଗି କରାଯାଇଥିଲା । ଏହାପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା । ପରେ ପ୍ରସାଦ ଲାଗି ସହ ତିନି ବାଡ଼ରେ ବନ୍ଦାପନା ମଧ୍ୟ କରାଯିବ ।

ଏହି ଘୋଡ଼ଲାଗି ଆସନ୍ତା ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି ମହାପ୍ରଭୁ।ତେବେ ମା ବିମଳା, ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନଙ୍କ ପାଇଁ ପ୍ରସ୍ତୁତ ଘୋଡ଼ ଅଧିବାସ ହୋଇଥାଏ। ଓଢ଼ଣୀ ଶଷ୍ଠୀ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ। ଘୋଡ ଲାଗି ବେଶ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଏହି ବେଶ ଦର୍ଶନ ଦ୍ୱାରା କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।

Leave A Reply

Your email address will not be published.