ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଓଡିଶା ରାଜନୀତିରେ ଗଞ୍ଜାମ ଜିଲ୍ଲାର ବେଶ ଗୁରୁତ୍ୱ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବାରୁ ସବୁବେଳେ ଫୋକସରେ ରହିଆସିଛି ଗଞ୍ଜାମ । ଆଉ ଗଞ୍ଜାମର ରାଜନୀତିରେ ରାଜପରିବାର ବହୁ ପୁରୁଣା । ଏବେବି ରାଜନୀତିର ରଣଭୂମିରେ ରାଜପରିବାରର ସଦସ୍ୟ ସକ୍ରିୟା ରହିଛନ୍ତି । ଗଞ୍ଜାମ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀରେ ବିଜେଡିର ମଙ୍ଗୁଆଳ ସାଜିଛନ୍ତି ୩ଜଣ ରାଣୀ।
ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କୁ ଛାଡ଼ିଦେଲେ ଅନ୍ୟ ଦୁଇଜଣ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ଏବଂ ଚିକିଟି ରାଣୀ ଉଷା ଦେବୀ ବିଜେଡି ସହିତ ୨୦୦୦ ମସିହାରୁ ଜଡ଼ିତ ରହି ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି। ଏବେ ଖଲ୍ଲିକୋଟ ରାଣୀ ସାହେବା ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ପ୍ରତ୍ୟକ୍ଷ ରାଜନୀତି ଠାରୁ ଦୂରେଇ ରହିଛନ୍ତି। କିନ୍ତୁ ନନ୍ଦିନୀ ଦେବୀ ଓ ଉଷା ଦେବୀ ରାଜନୀତିରେ ସକ୍ରିୟ ରହିଛନ୍ତି। ତେବେ ଏହା ଭିତରେ ଚିକିଟି ରାଣୀଙ୍କ ପୁତ୍ର ଶ୍ରୀରୂପ ଦେବ ଓ ଧରାକୋଟ ରାଣୀଙ୍କ କନ୍ୟା ସୁଲକ୍ଷଣା ଗୀତାଞ୍ଜଳି ରାଜନୀତିରେ ସକ୍ରିୟ ହେଲେଣି।
୨୦୨୪ ରେ ଗଞ୍ଜାମ ରାଜନୀତିରେ ଏହି ୩ ରାଣୀଙ୍କ ଭୂମିକା କଣ ରହୁଛି ତା’ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତେବେ ପ୍ରତ୍ୟେକ ନିର୍ବାଚନରେ ଉଭୟ ଆସନରେ ପ୍ରାର୍ଥୀ ଚୟନ ବେଳେ ରାଣୀ ସହେବାଙ୍କ ମୋହର ଚୁଡାନ୍ତ ହୋଇଥାଏ । ଗଞ୍ଜାମ ରାଜନୀତିରେ ଖଲ୍ଲିକୋଟ ରାଣୀଙ୍କ ବେଶ୍ ପ୍ରଭାବ ରହିଛି। ସେ ଲଗାତାର ୧୦ଥର ବିଧାୟିକା ହୋଇଛନ୍ତି। ବିଜୁ ବାବୁଙ୍କ ଅତ୍ୟନ୍ତ ନିକଟତର ଥିଲେ ଖଲ୍ଲିକୋଟ ରାଣୀ ସାହେବା। ନବୀନ ବାବୁ ରାଜନୀତିକୁ ଆସିବା ପରେ ମଧ୍ୟ ଶ୍ରୀମତୀ ଦେଓ ଜିଲ୍ଲାର ରାଜନୀତିକୁ ନିୟନ୍ତ୍ରଣ କରୁଥିଲେ। ୧୯୬୧ରୁ ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଖଲ୍ଲିକୋଟ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜୟୀ ହୋଇ ସେ ଲୋକଲୋଚନକୁ ଆସିଥିଲେ।
ସେହି ଖଲ୍ଲିକୋଟ ଆସନରୁ ୧୯୭୪ରେ ଉତ୍କଳ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ୧୯୭୭ ଓ ୧୯୮୫ ଜନତା ପାର୍ଟି, ୧୯୯୦ ଓ ୧୯୯୫ରେ ଜନତା ଦଳରୁ ବିଧାୟିକା ହୋଇଥିଲେ। ୨୦୦୦ ଓ ୨୦୦୪ରେ ବିଜେଡିରୁ ପ୍ରାର୍ଥୀ ହୋଇ ଖଲ୍ଲିକୋଟ ବିଧାୟିକା ହୋଇଥିବା ବେଳେ ୨୦୦୯ ଓ ୨୦୧୪ରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ବିଜେଡି ଟିକଟରୁ ବିଧାୟିକା ହୋଇଥିଲେ। ଏବେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ରାଜନୀତି ଠାରୁ ଦୂରେଇ ରହିଛନ୍ତି। ସେ ଚେନ୍ନାଇରେ ରହୁଥିଲେ ସୁଦ୍ଧା ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଲୋକେ ଏବେ ବି ରାଣୀ ସାହେବାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଯୋଗାଯୋଗରେ ରହିଛନ୍ତି। ଏଣୁ ପ୍ରତ୍ୟେକ ନିର୍ବାଚନରେ ଉଭୟ ଆସନରେ ପ୍ରାର୍ଥୀ ଚୟନ ବେଳେ ରାଣୀ ସାହେବାଙ୍କ ମୋହର ଚୂଡ଼ାନ୍ତ ହୋଇଥାଏ।ତେବେ ଦେଖିବାକୁ ବାକି ରହିଲା ୨୦୨୪ ରେ ମଧ୍ୟ ତାଙ୍କର ଭୂମିକା ନିର୍ଣ୍ଣାୟକ କିଏ ହେବ !