ଦେବଗଡରୁ ଅପହୃତ ସୁନ୍ଦରଗଡରୁ ଉଦ୍ଧାର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଦେବଗଡ଼ରୁ ଅପହୃତ ହୋଇଥିବା କୁନି ଝିଅ ସୁନ୍ଦରଗଡ଼ରୁ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲାର ବଡ଼ ଗାଁ ରାସ୍ତା କଡ଼ରୁ ସ୍ଥାନୀୟ ଲୋକେ ଆଜି ସକାଳେ ଉଦ୍ଧାର କରିଛନ୍ତି।  ସୂଚନାଯୋଗ୍ୟ, ଝିଅଟି ପୋଲ ତଳେ କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ ବଡ଼ଗାଁ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦେବଗଡ଼ ପୋଲିସ ସହିତ ଯୋଗାଯୋଗ କରି ଶିଶୁକନ୍ୟାର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପୋଲିସ ଝିଅକୁ ଉଦ୍ଧାର କରିବା ପରେ ତାଙ୍କୁ ନେବା ପାଇଁ ଦେବଗଡ଼ରୁ ନୂଆଗାଁ ଅଭିମୁଖେ ଆସୁଛନ୍ତି ପରିବାର ଲୋକେ । ସେପଟେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି ।

ସୂଚନା ଅନୁଯାୟୀ, ଉଦ୍ଧାର ଶିଶୁକନ୍ୟା ଦେବଗଡ଼ ସହରର ଜଣେ ପ୍ରତିଷ୍ଠିତ କପଡ଼ା ଦୋକାନର ମାଲିକ ଅଲୋକ ଅଗ୍ରୱାଲଙ୍କ ଝିଅ । ଗତକାଲି ସନ୍ଧ୍ୟାରେ ୫ ବର୍ଷର ଝିଅଟି ଟ୍ୟୁସନରୁ ନିଜ ଆଈ ସହ ଘରକୁ ଫେରୁଥିବା ବେଳେ ଅପହୃତ ହୋଇଥିଲା । ଦୁଇ ଜଣ ଦୁର୍ବୃତ୍ତ କଳା ରଙ୍ଗର ପଲସର ବାଇକରେ ଆସି କୁନି ଝିଅଟିକୁ ଉଠାଇ ନେଇଥିଲେ । ଏନେଇ ଆଈ ଚିତ୍କାର କରିବାରୁ ଆଖପାଖର ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ହେଲେ ସେତେବେଳକୁ ଦୁର୍ବୃତ୍ତମାନେ ଝିଅକୁ ଧରି ଫେରାର୍ ହୋଇଯାଇଥିଲେ । ଏହି ଘଟଣା କାଲି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ଉଦ୍ଧାର ପରେ ଲୋମଟାଙ୍କୁରା ଘଟଣା ବର୍ଣ୍ଣନା କରିଛି କୁନି ଝିଅ । କୁନି ଝିଅଟି ଅତ୍ୟନ୍ତ ଭୟଭୀତ ହୋଇ କହିଛି, ମୁଁ ଘରକୁ ଫେରୁଥିବା ବେଳେ ସେମାନେ ଆସିଲେ ଆଉ ମତେ ଉଠେଇନେଇଗଲେ । ବାଇକରେ ଆସି ମତେ ଉଠେଇ ନେଇଗଲେ ।

ତେବେ କେଉଁ କାରଣକୁ ନେଇ ଝିଅଟିକୁ ଦୁର୍ବୃତ୍ତମାନେ ଅପହରଣ କଲେ ତାର କାରଣ ଅସ୍ପଷ୍ଟ ରହିଛି । ଦୁର୍ବୃତ୍ତମାନେ କୁନି ଝିଅକୁ ଅପହରଣ କରି କାହିଁକି ରାସ୍ତାକଡ଼ରେ ଛାଡ଼ି ଚମ୍ପଟ ମାରିଲେ ତାର କାରଣ ବି ଅସ୍ପଷ୍ଟ ରହିଛି ।

 

Leave A Reply

Your email address will not be published.