ଆଜି ବସିବ ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଆଜି ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାୟ ୩ ମାସ ତଳେ ମୁମ୍ବାଇ ଠାରେ ଅନୁଷ୍ଠିତ ବୈଠକ ପରେ ୨୬ ବିରୋଧୀ ଦଳର ନେତାମାନେ ଏହି ବୈଠକରେ ସାମିଲ ହେବାକୁ ଯାଉଛନ୍ତି। ଗୋଟିଏ ପକ୍ଷରେ ନିକଟରେ ଶେଷ ହୋଇଥିବା ତିନି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିଫଳ ହୋଇଥିଲା ବେଳେ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ତେଣୁ ବିଜେପି ବିରୋଧରେ ପୁଣି ଅଣ୍ଟା ଭିଡିବାକୁ ମେଣ୍ଟ ପକ୍ଷରୁ ଗୁରୁତ୍ବ ଦିଆଯାଇ ଏହି ବୈଠକ ଆହୂତ କରାଯାଇଥିବା କୁହାଯାଇଛି।

ନିକଟରେ ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ବୈଠକ ଡାକିଥିଲା। କିନ୍ତୁ ବିଭିନ୍ନ ଦଳର ମୁଖିଆମାନେ ଯୋଗ ଦେଇପାରିବେ ନାହିଁ ବୋଲି ମନା କରି ଦେଇଥିଲେ । ଏହାପରେ ବୈଠକକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଗତକାଲି ଶୀତ ଅଧିବେଶନରୁ 79 ଜଣ ସାଂସଦ ନିଲମ୍ବିତ ହେବା ପରେ ହଠାତ୍ ଆଜି ବୈଠକ ବସିବାକୁ ଯାଉଛି।

ଡିସେମ୍ବର 13ରେ ଲୋକସଭାରେ ସ୍ମୋକ୍ ଆଟାକକୁ ନେଇ ଉଭୟ ଗୃହରେ ବିରୋଧୀ ଦଳ ସାଂସଦମାନେ ପ୍ରବଳ ହୋହଲ୍ଲା ଜାରି ରଖିଥିଲେ। ଗୃହ ମନ୍ତ୍ରୀ ଅମିତ ଶାହ ବିବୃତ୍ତି ରଖନ୍ତୁ ବୋଲି ସାଂସଦମାନେ ଦାବି କରି ପ୍ରବଳ ହଙ୍ଗାମା କରିଥିଲେ। 14 ତାରିଖରେ ରାଜ୍ୟସଭାର ଜଣେ ସାଂସଦଙ୍କୁ ମିଶାଇ ଉଭୟ ଗୃହରୁ 13 ଜଣ ସାଂସଦ ନିଲମ୍ବିତ ହୋଇଥିଲେ। ଗତକାଲି ପୁଣି ଲୋକସଭାରୁ 34 ଜଣ ସାଂସଦ ନିଲମ୍ବନ ହେବାପରେ ରାଜ୍ୟସଭାର 45 ଜଣ ସାଂସଦଙ୍କୁ ସସପେଣ୍ଡ କରିଥିଲେ ଅଧ୍ୟକ୍ଷ ଜଗଦୀଶ ଧନଖଡ।

Leave A Reply

Your email address will not be published.