ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଐତିହ୍ୟ କ୍ୟାବିନେଟ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ଏହି ବୈଠକ ହେବ। ଆଜି କ୍ୟାବିନେଟ, କୃଷି କ୍ୟାବିନେଟ, ଐତିହ୍ୟ କ୍ୟାବିନେଟ ବୈଠକ ବସିବ। କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଅର୍ଥ ମନ୍ତ୍ରୀଙ୍କ ସମେତ ୧୧ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ।
ଏଥିରେ ରାଜ୍ୟର ଐତିହ୍ୟ କ୍ଷେତ୍ର, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର କାର୍ଯ୍ୟକ୍ରମ ରହିଛି । ଗତ ୨୦୧୭ ଡିସେମ୍ବର ୨୬ ତାରିଖରେ ରାଜ୍ୟ ସରକାର ଐତିହ୍ୟ କ୍ୟାବିନେଟ ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ । ପୁରୀରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ତଦନୁଯାୟୀ ୨୦୧୮ ଜୁଲାଇ ମାସରେ ଐତିହ୍ୟ କ୍ୟାବିନେଟ ଗଠନ ହୋଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଐତିହ୍ୟ କ୍ୟାବିନେଟରେ ଅର୍ଥମନ୍ତ୍ରୀ, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ବୟନ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ, ଅନୁସୂଚିତ ଜାତି ଜନଜାତି ବିକାଶ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ଇଲୋକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ସଦସ୍ୟ ଅଛନ୍ତି । ଏହାପୂର୍ବରୁ ୨୦୨୦ ସେପ୍ଟେମ୍ବର ୩ ତାରିଖରେ ବସିଥିଲା ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକ । ଏଥିରେ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ସମେତ ଅନ୍ୟ କିଛି ଦାବି ପୂରଣ ନେଇ କେନ୍ଦ୍ରକୁ ଦାବି କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ।