ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶରେ ପୁଣି କଡ଼ ଲେଉଟାଉଛି କୋରୋନା । ବିଭିନ୍ନ ରାଜ୍ୟରେ ହଠାତ୍ ସଂକ୍ରମଣ ବୃଦ୍ଧି ଚିନ୍ତା ବଢ଼ାଇଛି । ବିଶେଷକରି କେରଳରେ କୋଭିଡର ସବ୍ ଭାରିଆଣ୍ଟ JN.1 ଚିହ୍ନଟ ହେବା ପରେ ଏହାକୁ ନେଇ ଭୟାବହତା ଦେଖାଦେଇଛି । କୋରୋନା ସଂକ୍ରମଣ ବଢୁଥିବାରୁ ଆଜି(ବୁଧବାର) ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଭିସିରେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ସଚିବଙ୍କ ସହ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ।
କରୋନାର ସବଭ୍ୟାରିଏଣ୍ଟ ଜେଏନ ଡଟ୍ ୱାନ ଭାରତରୁ ଠାବ ପରେ ସମସ୍ତଙ୍କ ମନରେ ଛନକା ପଶିଛି। କେରଳରେ ୪ ଜଣ ଓ ଉତ୍ତରପ୍ରଦେଶରୁ ଜଣେ କୋଭିଡ ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ଏବେ ଚିନ୍ତା ବଢିଛି । ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ପାଇଁ ଆଡଭାଇଜରୀ ଜାରି କରିଛନ୍ତି କେନ୍ଦ୍ର ସରକାର। ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନ୍ୟାଚ୍ଯୁରାଲ। କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନାରେ ଅଛି। ଆବଶ୍ୟକ ପଡିଲେ, ରାଜ୍ୟ ଗାଇଡଲାଇନ ଜାରି କରି ପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଏସ୍ପି ସିଂହ ବଘେଲ, ଭାରତୀ ପ୍ରବୀଣ ପାୱର, ସ୍ବାସ୍ଥ୍ୟ ସଚିବ ସୁଧାଂଶୁ ପନ୍ତ, ଚିକିତ୍ସା ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡ଼ ରାଜୀବ ବାହଲ, ନୀତି ଆୟୋଗ ସଦସ୍ୟ ଡ଼ ଭିକେ ପଲ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଭିଡିଓ କନଫେରନ୍ସିଂ ଜରିଆରେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଓ ସଚିବ ସାମିଲ ହୋଇଥିଲେ । ମଙ୍ଗଳବାର କେରଳରେ ୨୯୨ ନୂଆ କୋଭିଡ୍ ମାମଲା ଚିହ୍ନଟ ଏବଂ ୩ ଜଣଙ୍କ ମୃତ୍ୟୁ ଖବର ଆସିବା ପରେ କୋଭିଡ ସ୍ଥିତିର ସମୀକ୍ଷା ପାଇଁ ଆଜି ଏହି ଉଚ୍ଚସ୍ତରୀୟ ବୈଠକ ବସିଛି । ନୂଆ ସଂକ୍ରମଣ ସହିତ କେରଳରେ ସଂକ୍ରମିତଙ୍କ ସଂଖ୍ୟା ୨,୦୪୧କୁ ବୃଦ୍ଧି ପାଇଛି ।