ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚାରି ଦିନିଆ ଗସ୍ତରେ ରବିବାର ଦିନ ଦିଲ୍ଲୀରେ ପହଞ୍ଚିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଦଳର ସାଂସଦଙ୍କୁ ଭେଟିବେ ଏବଂ ବିରୋଧୀ ଭାରତୀୟ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ (INDIA) ବ୍ଲକର ଏକ ବୈଠକରେ ଯୋଗଦେବେ । ତେବେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମମତା । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ବକେୟା ପାଣ୍ଠି ଜାରି କରିବା ପାଇଁ ନିବେଦନ କରିଛି।
ମମତା କହିଛନ୍ତି ଯେ କେନ୍ଦ୍ର ଉପରେ ପଶ୍ଚିମବଙ୍ଗର ୧ଲକ୍ଷ ୧୬ହଜାର କୋଟିଟଙ୍କା ବକେୟା ରହିଛି।ଏହି ସାକ୍ଷାତ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଏହା ଉପରେ କେନ୍ଦ୍ର ଓ ପଶ୍ଚିମବଙ୍ଗ ଅଧିକାରୀଙ୍କ ମିଳିତ ବୈଠକ ହେବ ବୋଲି କହିଛନ୍ତି। କେନ୍ଦ୍ରୀୟ ଅର୍ଥ ମିଳିପାରୁନଥିବାରୁ ରାଜ୍ୟରେ ଅନେକ ଯୋଜନା ବନ୍ଦ ପଡିଥିବା ମମତା କହିଛନ୍ତି। ଏଥିରେ ହେଲଥ୍ ମିସନ ଓ ଆବାସ ଯୋଜନା ବନ୍ଦ ପଡିଥିବା ବେଳେ ଫାଇନାନ୍ସ କମିଶନ ଅର୍ଥ ମଧ୍ୟ ରାଜ୍ୟକୁ ମିଳୁନଥିବା ସେ କହିଛନ୍ତି। କେନ୍ଦ୍ରରୁ ୧୫୫ ଟିମ ପଶ୍ଚିମବଙ୍ଗ ଗସ୍ତ କରିସାରିଲେଣି, କୌଣସି ତ୍ରୁଟି ଦେଖାଯାଇ ନାହିଁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଓ ଆମର ଅଫିସରମାନେ ପରସ୍ପର ବୈଠକ କରିବେ ଓ ବକେୟା ଅର୍ଥ କିପରି ପ୍ରଦାନ କରାଯିବ ତାହା ନିର୍ଦ୍ଧାରିତ ହେବ ବୋଲି ମମତା କହିଛନ୍ତି ।ଗଣମାଧ୍ୟମ ସହ ଆଲୋଚନା କାଳରେ ମମତା ଇଣ୍ଡିଆ ମେଣ୍ଟର ବୈଠକ ସମ୍ପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ମୁଁ ବରିଷ୍ଠ ରାଜନେତା ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରସ୍ତାବିତ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ବୈଠକରେ ମୋ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏହି ଅବସରରେ ଟିଏମସି ସାଂସଦଙ୍କ ମିମିକ୍ରି ପ୍ରସଙ୍ଗ ମଧ୍ୟ ଉଠିଥିଲା। ଆମେ ଏହାର ଜବାବ ଦେବୁ ବୋଲି ମମତା କହିଛନ୍ତି। ସେ କହିଛନ୍ତି ଯେ ମୋ ସଂସଦୀୟ ଦଳ ଏହାର ଜବାବ ଦେବେ। ଏ ବାବଦେ ନିଷ୍ପତ୍ତି ନେବାକୁ ସଂସଦୀୟ ଦଳ ହିଁ କାଫି ବୋଲି ସେ କହିଛନ୍ତି।