ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାର୍ଗଶିର ମାସ ଟି ମାଲକ୍ଷ୍ମୀ ଙ୍କୁ ସମର୍ପିତ, ଏହି ମାସର ଗୁରୁବାର ରେ ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବରେ ପୂଜା କରାଯାଇ ଥାଏ l ମାନ୍ୟତା ଅନୁସାରେ ମାଲକ୍ଷ୍ମୀ ଯାହା ଉପରେ ଅସନ୍ତୁଷ୍ଟ ହୋଇ ଥାଆନ୍ତି ତାକୁ ଦରିଦ୍ରତା ର ସମ୍ମୁଖୀନ ହେବାକୁ ପଡିଥାଏ l ହିନ୍ଦୁ ଧର୍ମ ରେ ମାଲକ୍ଷ୍ମୀ ଙ୍କୁ ଧନ – ଧାନ୍ୟ, ସମ୍ପଦା , ବୈଭବ ର ଦେବୀ ବୋଲି କୁହାଯାଇ ଥାଏ l ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଉପରେ ମାଲକ୍ଷ୍ମୀ ଙ୍କ କୃପା ରହିଥାଏ ତାର କଦାପି ଅଭାବ ରହି ନଥାଏ l ଧର୍ମ ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କୁ ପୂଜାର୍ଚନା କରାଯାଇ ଥାଏ , କିନ୍ତୁ ମାର୍ଗଶିର ଗୁରୁବାର ରେ ମାଙ୍କ ର ପୂଜା ବିଧି କିଛି ବିଶେଷ ଥାଏ l
ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ତେବେ ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ” ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
ସମଗ୍ର ହିନ୍ଦୁ ସମାଜରେ ଲକ୍ଷ୍ମୀପୂଜା ପ୍ରଚଳିତ, କିନ୍ତୁ ମାର୍ଗଶିର ମାସ ମାଣବସା ଗୁରୁବାର କେବଳ ଓଡିଆ ମାନଙ୍କ ନିଜସ୍ଵ ପର୍ବ । ମାର୍ଗଶିର ମାସ ଗୁରୁବାର ମା ଲକ୍ଷ୍ମୀଙ୍କ ବାର । ଆବ୍ରାହ୍ମଣଚାଣ୍ଡାଳ ସବୁ ଓଡିଆ ଘରେ ଏହି ପର୍ବ ପାଳନ କରାଯାଏ । ଜାତି-ଅଜାତିର ଭେଦ ଭାବ ଏହି ପୂଜାରେ ନାହିଁ । ଏହି ଦିନ ଓଡିଆ ଗୃହିଣୀ ମାନେ ଝୋଟି, ଚିତା, ଧାନଶିଶା, ଆଙ୍ଗୁଳି ଚିତା ଆଦି ପକାଇ ପାରମ୍ପରିକ ଢଙ୍ଗରେ ଘରକୁ ସଜାଇ ଥାନ୍ତି । ଓଡିଆଙ୍କର ସାମାଜିକ ଓ ଆଧ୍ୟାତ୍ମିକ ଚଳଣି ଏଥିରୁ ଜଣା ପଡ଼େ ।
ମାଣବସା ଗୁରୁବାର ଦିନ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଲକ୍ଷ୍ମୀ ପୁରାଣ ପାଠ କରିବାର ବିଧି ରହିଛି । ଆଜି ହେଉଛି ମାଣବସା ଗୁରୁବାରର ଶେଷ ପାଳି । ଏଥି ପାଇଁ ଗାଁଠୁ ସହର ଚାରିଆଡେ ଉତ୍ସବମୁଖର ପରିବେଶ । ସଧବା ନାରୀ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି ।ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ । ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।