ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟ ସରକାରଙ୍କ ସହଯୋଗରେ ଆୟୋଜିତ ହୋଇଥିବା କଳା ଉତ୍ସବ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଜଣାଯାଇଛି । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତତ୍ତ୍ଵାବଧାନରେ ସୁଶ୍ରୀ ତ୍ରିପାଠୀ ଡିସେମ୍ବର ୧୪ ତାରିଖ ଦିନ ଦିଲ୍ଲୀ ଠାରେ ଆୟୋଜିତ ସର୍ବଭାରତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଗ୍ରାମାଞ୍ଚଳରେ ଥିବା ପ୍ରତିଭା ଅନ୍ଵେଷଣ କରିବା ପାଇଁ ହୋଇଥିବା ଏହି କଳା ଉତ୍ସବର ବ୍ଲକସ୍ତରୀୟ ଉପଖଣ୍ଡସ୍ତରୀୟ, ଜିଲ୍ଲାସ୍ତରୀୟ ଜୋନାଲସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବା ପରେ ଭୁବନେଶ୍ବର ଠାରେ ରାଜ୍ୟସ୍ତରୀୟ ହିନ୍ଦୁସ୍ତାନୀ ଭୋକାଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ଦିଲ୍ଲୀଠାରେ ହେବାକୁ ଥିବା ସର୍ବଭାରତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ।
ସେ ଆନନ୍ଦପୁର ଉପଖଣ୍ଡ ସୁଆଁପଦା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାୟାଳୟର ନବମ ଶ୍ରେଣୀ ଛାତ୍ରୀ ଓ ମହାଲୋ ପଞ୍ଚାୟତ ରୁଦ୍ର ନାରାୟଣପୁର ଶାସନ ନିବାସୀ ବିଜୟ ତ୍ରିପାଠୀ ଓ ସୁଭଦ୍ରା ତ୍ରିପାଠୀଙ୍କ ଏକମାତ୍ର ଝିଅ ଅଟନ୍ତି। ତାଙ୍କର ଏହି ହିନ୍ଦୁସ୍ଥାନୀ ସଙ୍ଗୀତ ପ୍ରତିଯୋଗିତାରେ ହାରମୋନିୟମରେ ଗୁରୁ ହରିହର ଜେନା ଓ ତବଲା ଗୁରୁ ଶୁଭାଶିଷ ଶତପଥୀ ସଙ୍ଗୀତରେ ସହଯୋଗ କରିଥିଲେ। ସୁଶ୍ରୀ ତ୍ରିପାଠୀଙ୍କ ଏପରି କୃତିତ୍ୱ ପାଇଁ ଆନନ୍ଦପୁର ଅଞ୍ଚଳରେ କଳାକାର ମାନଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି ।