ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀ ଜଗନ୍ନାଥ ହେଉଛନ୍ତି ହିନ୍ଦୁମାନଙ୍କର ଆସ୍ଥା, ବିଶ୍ବାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର | ସରକାରଙ୍କୁ ପରିଚାଳିତ କରୁଥିବା କିଛି ଅଣଓଡିଆ ବ୍ୟକ୍ତି ବିଶେଷ ଓ ଅନ୍ୟ କିଛି ନ୍ୟସ୍ତସ୍ବାର୍ଥ ଓଡିଆଙ୍କ ହୀନ ଚକ୍ରାନ୍ତ ଫଳରେ ଜଗନ୍ନାଥ ସଂସ୍କୃତି, ଓଡିଆ ପରମ୍ପରା ଆଦି ନଷ୍ଟ ହେବାକୁ ବସିଲାଣି | ନିକଟ ଅତୀତରେ କାମିଆ ଜାନି ନାମ୍ନି ଜଣେ ଦେୟଯୁକ୍ତ ବ୍ଲଗର (ମିଡିଆ) ଦ୍ବାରା ଶ୍ରୀ ମନ୍ଦିର ଓ ମହାପ୍ରସାଦ ର ପ୍ରଚାର କରାଯାଇଥିଲା |
ପରବର୍ତ୍ତୀ ସମୟରେ ଜଣାଗଲା ଉକ୍ତ ମହିଳାଜଣକ ଗୋମାଂସ ଭକ୍ଷଣରେ ପ୍ରଚାର ପ୍ରସାର କରୁଛନ୍ତି | ତାର ଭିଡିଓ ମଧ୍ୟ ପ୍ରକାଶ ପାଇଛି | ଶ୍ରୀ ଜଗନ୍ନାଥ ହଜାର ହଜାର ବର୍ଷର ପରମ୍ପରାର ପ୍ରତୀକ | ଏହାର ପ୍ରସାଦ କୋଟି ହିନ୍ଦୁଙ୍କର ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ପ୍ରସାଦ | ପ୍ରଚାର ପ୍ରସାର କାମରେ ଧର୍ମକୁ ଆଖିଠାର ମାରି ଏକଦା ଗୋମାଂସ ଭକ୍ଷଣରୁ ପ୍ରଚାରକାରି ଦ୍ବାରା ପ୍ରଚାର କରିବା କାହା ସ୍ବାର୍ଥ ପାଇଁ ? ଅଣ ଓଡିଆ ନେତାଙ୍କ ସହ କାମିଆ ଜାନି ଆନନ୍ଦ ବଜାର ପ୍ରସାଦ ଖାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରାଯାଇଥିଲା | କିଛି ଦିନ ତଳେ ଭିନ୍ନ ସଂପ୍ରଦାୟରେ ବିଶ୍ବାସ ରଖୁଥିବା ତାମିଲନାଡୁର ଜଣେ ରାଜନେତା ସନାତନ ଧର୍ମକୁ ସମାପ୍ତ କରିବାର କଥା କହୁଥିଲେ | ପୁରୀର ସାଂସଦ ପୁରୀକୁ ଭାଟିକାନ ସିଟି ରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ଇଛା ବୋଲି ପ୍ରକାଶ କରିଥିଲେ |
ଯେଉଁ ଦେଶର ଜଗନ୍ନାଥ ସଂସ୍କୃତିକୁ ପାଶ୍ଚାତ୍ୟ ଦେଶର ଲୋକ ରିସର୍ଚ କରିବାକୁ ଆସୁଛନ୍ତି ସେଭଳି ସ୍ଥଳେ ଆମେ ଯାଉଛୁ ପାଶ୍ଚାତ୍ୟ ସଭ୍ୟତାକୁ ଅନୁସରଣ କରିବାକୁ | ଏହା ଠାରୁ ଲଜ୍ଜ୍ୟାର ବିଷୟ କଅଣ ଥାଇପାରେ ବୋଲି କ୍ଷୋଭ ପ୍ରକାଶ ପାଇଥିଲା | ଆଜି ରାଇରଙ୍ଗପୁର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକଲ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାର ଚକ୍ରାନ୍ତକାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଦୁର୍ଗାାମଣ୍ଡପ ବିଜୁ ପଟ୍ଟନାୟକ ଛକ ଠାରୁ ଶତାଧିକ କର୍ମକର୍ତ୍ତା ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ | ଆଗାମୀ ଦିନରେ ଆନ୍ଦୋଳନ ଦେଶବ୍ୟାପୀ କରାଯିବ ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଚେତାଇ ଦିଆଯାଇଛି |
ଏହି କାର୍ଯ୍ୟକ୍ରମରେ ଉଦୟ ନାରାୟଣ ସିଂହ ସଭାପତିତ୍ବ କରିଥିବା ବେଳେ ନିଗମାନନ୍ଦ ପଟ୍ଟନାୟକ, ପ୍ରଦ୍ୟୁମ୍ନ ଦିଗାର, ସଞ୍ଜୟ କୁମାର ମହାନ୍ତ, ଜ୍ୟୋତି ରଞ୍ଜନ ବାରିକ, ପ୍ରଦୀପ କୁମାର ମହାନ୍ତ, ଶଶିକାନ୍ତ ବାରିକ ଓ ପରମେଶ୍ବର ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ | ଏବେ ଠାରୁ ହିନ୍ଦୁ ସମାଜ ଜାଗ୍ରତ ନ ହେଲେ ଆଗାମୀ ଦିନରେ ଯେଉଁଭଳି ଭୟାନକ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଆମେ ନିଜକୁ କ୍ଷମା ଦେଇ ପାରିବୁ ନାହିଁ |