ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭବ୍ୟ ରାମ ମନ୍ଦିର ଉଦ୍ଘାଟନ ପୂର୍ବରୁ ଝଲସି ଉଠିଲାଣି ଅଯୋଧ୍ୟା । ଫଳରେ ଅଯୋଧ୍ୟାର କୋଣ କୋଣ ଏବେ ରାମମୟ ହୋଇଗଲାଣି। ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି ତାଙ୍କ ନାମ ।
ରାମ ମନ୍ଦିରର ଭବ୍ୟ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅଯୋଧ୍ୟା ଷ୍ଟେଶନର ନାମ ବଦଳି ସାରିଥିବା ବେଳେ ଏବେ ଏୟାରପୋର୍ଟ ନାମ ବି ବଦଳି ଯାଇଛି। ଉଦଘାଟନର ଗୋଟିଏ ଦିନ ପୂର୍ବରୁ ବିମାନ ବନ୍ଦରର ନାମକରଣ କରାଯାଇଛି । ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ ହୋଇଛି ଅଯୋଧ୍ୟା ଅନ୍ତର୍ଜାତୀୟ ବିମାନ ବନ୍ଦର । ପୂର୍ବରୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ନାମରେ ବିମାନ ବନ୍ଦରର ନାମକରଣ ହେବା ନେଇ ଚର୍ଚ୍ଚା ହେଉଥିଲା । ଶନିବାର ନବନିର୍ମିତ ଏହି ବିମାନ ବନ୍ଦରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ସେ ଏକ ବିଶାଳ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଅଯୋଧ୍ୟାରେ ଥିବା ଏୟାରପୋର୍ଟର ନାମ ପୂର୍ବରୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଥିବା ବେଳେ ଏବେ ତାହାର ନାମ ବଦଳି ଯାଇଛି।
ଫଳରେ ଏୟାରପୋର୍ଟଟି ଏବେ ମହର୍ଷି ବାଲ୍ମିକି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଅଯୋଧ୍ୟା ନାମରେ ନାମିତ ହେବ । ଏହି ଏୟାରପୋର୍ଟ ଅହମ୍ମଦାବାଦ ଓ ଅଯୋଧ୍ୟା ମଧ୍ୟରେ ଉଡ଼ାଣ ଭରିବ । ସପ୍ତାହକୁ ୩ ଥର ଏହି ଏୟାରପୋର୍ଟରୁ ବିମାନ ଉଡ଼ିବ ବୋଲି ଜଣାଯାଇଛି।ଆସନ୍ତା 30 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀକରଣ ହୋଇଥିବା ଷ୍ଟେସନ ଓ ବିମାନ ବନ୍ଦରର ଉଦଘାଟନ କରିବେ । ଅଯୋଧ୍ୟା ଧାମ ଜଙ୍କସନରେ ବନ୍ଦେ ଭାରତ ଓ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଅଯୋଧ୍ୟାରେ ଜୋରସୋରେ ପ୍ରସ୍ତୁତି ଚାଲିଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ସନ୍ଧ୍ୟା ଠାରୁ ଅଯୋଧ୍ୟାରେ ଭାରିଯାନ ଯାତାୟତ ଉପରେ କଟକଣା ଲାଗିଛି ।