ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ଲିପିର ବାଲାଟ୍ ପେପରରେ ମତଦାନ ପ୍ରସଙ୍ଗ: ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ହାଇକୋର୍ଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଗାମୀ ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ଲିପିର ବାଲାଟ ପେପର ବ୍ୟବସ୍ଥା କରିବା ପ୍ରସଂଗରେ ସତ୍ୟପାଠ ମାଧ୍ୟମରେ ଜବାବ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମଣ୍ଟୁ ଦାସ ଓ ଅନ୍ୟମାନଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୬କୁ ଧାର୍ଯ୍ୟ କରାଯାଇଛି।
ମାମଲାର ଶୁଣାଣି ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ତରଫରୁ ଦର୍ଶାଯାଇଥିଲା ଯେ ପଞ୍ଚାୟତ ନିର୍ବାଚନରେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ମତଦାନ କେନ୍ଦ୍ରକୁ ଯିବା ଲାଗି ରାମ୍ପ ବ୍ୟବସ୍ଥା କରାଯାଇଛି। ଦୃଷ୍ଟିହୀନ ଭୋଟର ଉପସ୍ଥିତ ଅଧିକାରୀଙ୍କ ଅନୁମତି ନେଇ ସାଙ୍ଗରେ ଜଣେ ବ୍ୟକ୍ତିଙ୍କୁ ମତଦାନ କେନ୍ଦ୍ର ଭିତରକୁ ଯାଇଥିଲେ। ସଂପୃକ୍ତ ବ୍ୟକ୍ତିଙ୍କ ସହାୟତାରେ ଦୃଷ୍ଟିହୀନ ଭୋଟର ଭୋଟ ଦେଇଥିଲେ। କେହି ଦୃଷ୍ଟିହୀନ ଭୋଟର ମତଦାନ କେନ୍ଦ୍ରରୁ ଫେରି ନାହାନ୍ତି। ଅନ୍ୟପକ୍ଷରେ ଏଭଳି ଭୋଟରଙ୍କ ପାଇଁ ବ୍ରେଲି ଲିପିର ବାଲାଟ ପେପର କରାଯିବା କଥା ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।
କହିରଖୁଛୁ କି ଏଣିକି ଭୋଟରଙ୍କୁ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀ ପସନ୍ଦ ନହେଲେ ନୋଟାକୁ ପସନ୍ଦ କରିପାରିବେ । ଆଗାମୀ ପୌର ଭୋଟ୍ରେ ପ୍ରଥମ ଥର ପାଇଁ ଲାଗୁ ହେବକୁ ଯାଉଛି NOTA ବ୍ୟବସ୍ଥା । ପୂର୍ବରୁ କେବଳ ବିଧାନସଭା ଓ ଲୋକସଭା ଭୋଟ ବେଳେ ଇଭିଏମ ମେସିନରେ NOTA ବ୍ୟବସ୍ଥା ରହିଥିଲା । ରାଜ୍ୟ ନିର୍ବାଚନ କମିଶନର ସମ୍ବିଧାନର ଧାରା ୨୪୩ZA ଅନୁସାରେ କ୍ଷମତା ବଳରେ ପୌର ନିର୍ବାଚନରେ NOTA ବ୍ୟବସ୍ଥା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିପାଇଁ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି ଲେଖା ରହିବ । ଶେଷ ପ୍ରାର୍ଥୀଙ୍କ ନାଁ ପରେ ଇଭିଏମ ପ୍ରାର୍ଥୀ ପ୍ୟାନେଲରେ ନୋଟା ଚିହ୍ନ ରଖାଯିବ । ଆଗାମୀ ପୌର ନିର୍ବାଚନ ପ୍ରସଙ୍ଗରେ ଗତକାଲି ସର୍ବଦଳୀୟ ବୈଠକରେ ନିର୍ବାଚନ କମିଶନର ଆଲୋଚନା କରିଥିଲେ । ଏଥର ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ସତ୍ୟପାଠ ଦାଖଲ ବାଧ୍ୟତାମୂଳକ । ସତ୍ୟପାଠରେ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା ଓ ଅପରାଧିକ ମାମଲା ପ୍ରସଙ୍ଗରେ ପ୍ରାର୍ଥୀମାନେ ତଥ୍ୟ ଦେବେ । ସତ୍ୟପାଠ ତଥ୍ୟରେ ତ୍ରୁଟି ଥିଲେ କିମ୍ବା ଅସମ୍ପୂର୍ଣ୍ଣ ଥିଲେ ସମ୍ପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।