ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ-ଚାନ୍ଦବାଲି ରାସ୍ତାରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ ଓ ଟ୍ରକ ମୁହାଁ ମୁହିଁ ଧକ୍କା | ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ବି କିଛି ଯାତ୍ରୀ ବସ୍ ଭିତରେ ଫସି ରହିଛି । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇ ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି। କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ଆଜି(ମଙ୍ଗଳବାର) ସକାଳେ କଟକ ନିଶ୍ଚିନ୍ତକୋଇଲି ଥାନା ଅଧିନ କଟରପଡା ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମନୋରମା ନାମକ ଏକ ଘରୋଇ ବସ୍ ଦୁର୍ଘଟଣାର ଶିକାର ହୋଇଛି । ବସରେ ଏବେ ବି ଅନେକ ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘରୋଇ ବସଟି କେନ୍ଦ୍ରାପଡା ରାଜକନିକାରୁ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ ବାହାରିଥିଲା ।
ନିଶ୍ଚିନ୍ତକୋଇଲି ଥାନା ଅଧିନ କଟରପଡା ଠାରେ ବସ ଏକ ମାଲବାହୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଜଣଙ୍କ ଗାଡ଼ିରେ ଫସି ରହିଛନ୍ତି । ଏନେଇ ଖବର ପାଇ ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନେକ ସଂଖ୍ୟକ ଗାଡି ରାସ୍ତାରେ ଉଭୟ ପାର୍ଶ୍ଵରେ ଅଟକି ରହିଛି ।
ସେପଟେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହାସହିତ ବଡ଼ ମେଡିକାଲରେ କଟକ ଜିଲ୍ଲାପାଳ ପହଞ୍ଚି ଗୁରୁତରଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।