ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଶୀତ ସାମାନ୍ୟ କମିଥିଲେ ବି ଘନ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହୋଇଛି। ଫଳରେ ଲୋକେ କଲବଲ ହେଉଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହେଉଛି | ଆଜି ପାଇଁ ୧୧ଟି ଜିଲ୍ଲାକୁ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଅନୁଗୁଳ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି।
ଏପରିକି ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଖସିଯାଇପାରେ । ସେହିପରି ଆସନ୍ତା ୫ ଏବଂ ୬ ତାରିଖ ଆଡ଼କୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନ ଥିବା ବେଳେ ଏବେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା। କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ଅଧିକ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଲୋକଙ୍କୁ ନାକେଦମ କରିଛି।
ଢେଙ୍କାନାଳ ଓ ତାଳଚେରରେ ଅତିଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତାର ଯଥାକ୍ରମେ ୩୦ ମିଟର ଓ ୪୦ ମିଟର ରହିଥିଲା। ୭ଟି ସ୍ଥାନରେ ଘନ କୁହୁଡି ଅର୍ଥାତ୍ ସୋନପୁର, ଫୁଲବାଣୀ, କୋରାପୁଟ ଓ ଖୋର୍ଦ୍ଧାରେ ଦୃଶ୍ୟମାନର ଦୂରତା ୫୦ ମିଟର, କଟକରେ ୮୦ ମିଟର, ଅନୁଗୁଳରେ ୧୦୦ ମିଟର ଓ କେନ୍ଦ୍ରାପଡାରେ ୧୫୦ ମିଟର ଥିଲା। ସେହିଭଳି ୪ଟି ସ୍ଥାନରେ ମଧ୍ୟମ ଧରଣର କୁହୁଡି ଅର୍ଥାତ୍ ନବରଙ୍ଗପୁର ଓ ଜଗତସିଂପୁରରେ ୨୦୦ ମିଟର, ଭବାନୀପାଟଣାରେ ୩୦୦ ମିଟର ଓ ପାରାଦୀପରେ ୪୦୦ ମିଟର ଦୃଶ୍ୟମାନ ହେଉଥିଲା। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରି ରେକର୍ଡ କରାଯାଇଥିଲା।