ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଖେଇ ଆସିଲାଣି ଜାନୁଆରୀ ୨୨ । ସମୟ ଯେତେ ପାଖେଇ ଆସୁଛି ସେତେ ଉସôବ ମୁଖର ହୋଇ ଉଠୁଛି ଅଯୋଧ୍ୟା । ସେଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିଲେ ମଧ୍ୟ ୧୬ ତାରିଖରୁ ଆରମ୍ଭ ହୋଇଯିବ ସମସ୍ତ ପ୍ରକାର କାର୍ଯ୍ୟକ୍ରମ । ଏହାରି ଭିତରେ ସାମ୍ନାକୁ ଆସିଛି ଜାନୁଆରୀ ୧୬ରୁ ୨୨ ଯାଏଁ ହେବାକୁ ଥିବା ସମସ୍ତ ପୂଜାର୍ଚ୍ଚନା ସୂଚୀ ।
ଜାତୀୟ ଗଣମାଧ୍ୟମ ଅନୁଯାୟୀ, ୧୬ ତାରିଖରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ନିଯୁକ୍ତ ଆୟୋଜକ ସରଜୁ ତଟରେ ପୂଜାର୍ଚ୍ଚନା କରିବେ । ୧୭ରେ ରାମଲାଲାଙ୍କ ବିଗ୍ରହ ସରଜୁ ତଟକୁ ମଙ୍ଗଳ କଳସ ଶୋଭାଯାତ୍ରାରେ ଅଣାଯିବ । ଜାନୁଆରୀ ୧୮ରେ ଗଣେଶ ଅମ୍ବିକା ପୂଜା, ବରୁଣ ପୂଜା, ମାତୃକା ପୂଜା, ବ୍ରାହ୍ମଣ ବରଣ ଓ ବାସ୍ତୁ ପୂଜା ଅନୁଷ୍ଠିତ ହେବ । ୧୯ ତାରିଖରେ ଅଗ୍ନି ସ୍ଥାପନା, ନବଗ୍ରହ ସ୍ଥାପନା ଏବଂ ହୋମଯଜ୍ଞ କରାଯିବ । ୨୦ରେ ମନ୍ଦିର ଗର୍ଭଗୃହକୁ ସରଜୁ ନଦୀର ପବିତ୍ର ଜଳରେ ଧୋଇ ବାସ୍ତୁ ଶାନ୍ତି ଓ ଆନ୍ନାଧିବାସ କରାଯିବ । ଜାନୁଆରୀ ୨୧ ଅର୍ଥାତ ଠିକ୍ ପ୍ରାଣପ୍ରତିଷ୍ଠା ପୂର୍ବଦିନ ରାମଲାଲାଙ୍କ ବିଗ୍ରହକୁ ୧୨୫ କଳସ ଜଳରେ ସ୍ନାନ କରାଇ ଶୟାଧିବାସ କରାଯିବ । ଜାନୁଆରୀ ୨୨ରେ ସକାଳୁ ରାମଲାଲାଙ୍କ ପୂଜାର୍ଚ୍ଚନା ପରେ ଅପରାହ୍ନରେ ମୃଗଶିରା ନକ୍ଷତ୍ର ମୂଳ ମୁହୂର୍ତରେ ପ୍ରାଣପ୍ରତିଷ୍ଠା ହେବ ଏବଂ ଏହା ୧ ମିନିଟ ୨୪ ସେକେଣ୍ଡ ଯାଏଁ ଚାଲିବ ବୋଲି ସୂଚନା ମିଳିଛି ।
ସେପଟେ ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା ଏ.ଆଇ ର ସହାୟତା ନେଇଛି ଅଯୋଧ୍ୟା ପୋଲିସ । ମନ୍ଦିର ପରିସରରେ ଏ.ଆଇ ସର୍ଭେଲାନ୍ସ ଓ ସିସିଟିଭି କ୍ୟାମେରା ଲାଗିଛି । ଏହାଦ୍ୱାରା ମନ୍ଦିରକୁ ବାରମ୍ବାର ଆସୁଥିବା ଲୋକ ଏବଂ ସନ୍ଦିଗ୍ଧ ବ୍ୟକ୍ତି ବା ଦଳକୁ ଏ.ଆଇ ଅଟୋମେଟିକ ଚିହ୍ନଟ କରି ସତର୍କ ସୂଚନା ଦେଇପାରିବ । ଏଥିସହ ୧୧ ହଜାର ପୋଲିସ ଓ ପାରାମିଲିଟାରି ଫୋର୍ସ ଓ ବମ୍ ସ୍କୃାଡ୍ ମଧ୍ୟ ମୁତୟନ ହୋଇଛନ୍ତି ।