ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହୁ ବିବାଦ ଓ ଘାତ ପ୍ରତିଘାତ ମଧ୍ୟରେ ପୁଣି ଏସିଆର ଶ୍ରେଷ୍ଠ ଧନୀ ହେଲେ ଗୌତମ ଆଦାନୀ। ମୁକେଶ ଅମ୍ବାନିଙ୍କୁ ପଛରେ ପକାଇ ଏସିଆ ମହାଦେଶ ତଥା ଦେଶର ଧନୀ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ଆଦାନୀ। ଆଦାନୀ ବିଶ୍ୱ ଧନୀ ତାଲିକାର ଶ୍ରେଷ୍ଠ ୧୨ରେ ମଧ୍ୟରେ ସ୍ଥାନ ପାଇଛନ୍ତି । ଅନ୍ୟପଟେ ଅମ୍ବାନୀ ଏହି ତାଲିକାର ୧୩ ତମ ସ୍ଥାନରେ ରହିଛନ୍ତି |
ଏହି ଉତ୍ଥାନ ସହ ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀ ଏବେ ଏସିଆର ଏକ ନମ୍ବର ଧନୀ ପାଲଟିଛନ୍ତି । ଗତ ବର୍ଷ ତୁଳନାରେ ଉଭୟ ଆଦାନୀ ଏବଂ ଅମ୍ବାନୀଙ୍କ ରାଙ୍କିଙ୍ଗରେ ଉନ୍ନତି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୭.୬ ଆରବ ଡଲାର ବୃଦ୍ଧି ପାଇଛି । ଅନ୍ୟପଟେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୯୭ ଆରବ ଡଲାର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କର ମୋଟ ସମ୍ପତ୍ତି ୬୬୫ ନିୟୁତ ଡଲାର ବୃଦ୍ଧି ପାଇଛି ।
ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ଆଦାନୀଙ୍କ ନେଟୱର୍ଥ ଗୋଟିଏ ଦିନରେ ୭୭୦ କୋଟି ଡଲାର ବୃଦ୍ଧି ପାଇଥିଲା, ଯାହା ପରେ ଆଦାନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୯୭୬୦ କୋଟି ଡଲାରରେ ପହଞ୍ଚିଛି। ଏହି ମୂଲ୍ୟ ସହ ଆଦାନୀ ଗ୍ରୁପ୍ ମାଲିକ ଗୌତମ ଆଦାନୀ ଏସିଆର ସବୁଠୁ ଧନୀ ବନିଯାଇଛନ୍ତି। ଆଦାନୀଙ୍କଠୁ ସାମାନ୍ୟ ପଛରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଚ୍ରିଜ୍ ଲିମିଟେଡର ଚେୟାରମ୍ୟାନ୍ ମୁକେଶ ଅମ୍ବାନି। ଅମ୍ବାନୀଙ୍କ ନେଟୱର୍ଥ ୯୭୦୦ କୋଟି ଡଲାର ରହିଛି।
ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ଏକ ଖରାପ ସମୟ ଦେଇ ଗତି କରିଥିଲା। ଆଦାନୀ ଗ୍ରୁପ୍ ‘ଷ୍ଟକ୍ ପ୍ରାଇସ୍’ରେ ଜାଲିଆତି କରିଥିବା ନେଇ ହିଣ୍ଡେନବର୍ଗ ରିପୋର୍ଟ କରିଥିଲା। ଏହାପରେ ଗତବର୍ଷ ଏକ ସମୟରେ କମ୍ପାନୀ ୧୫,୦୦୦ କୋଟି ଡଲାରରୁ ଅଧିକ ହରାଇଥିଲା। ବାରମ୍ବାର ଆଦାନୀ ଗ୍ରୁପକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। କିନ୍ତୁ ଗତକାଲି ଏହି ମାମଲା ଉପରେ ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦେଇଥିଲେ ସୁପ୍ରିମକୋର୍ଟ।