ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୃଙ୍ଖଳିତ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ଏଥର ଯୁକ୍ତ ଦୁଇ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
ନିରପେକ୍ଷ ପରୀକ୍ଷା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଡମିଟ୍ କାର୍ଡ଼ ଆଣିନଥିଲେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ନେଇ ଅନୁମତି ମିଳିବ ନାହିଁ । ପରୀକ୍ଷା ହଲ ଭିତରେ ଛାତ୍ରଛାତ୍ରୀ ପରସ୍ପର ମଧ୍ଯରେ କୌଣସି ଜିନିଷ ଦେବା ନେବା କରିପାରିବେନାହିଁ । ହଲ ଭିତରକୁ କୌଣସି ବୈଦ୍ୟୁତିକ ସାମଗ୍ରୀ ନ ଆଣିବା ନେଇ ବାରଣ କରାଯାଇଛି ।
ସବୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭିର ବ୍ୟବସ୍ଥା କରାଯାଇଛି। କପି ରୋକିବା ପାଇ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି । ଗତ ଡିସେମ୍ବର ୧୫ ତାରିଖରେ ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଥିଲା । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ପରୀକ୍ଷା ଚାଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା ।