ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥାନୀୟ ରଙ୍ଗାମାଟିଆ ଠାରେ ନିର୍ମିତ ହେଉଥିବା ୬୫୦ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ବୁଧବାର ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ନିର୍ମାଣ କାର୍ଯ୍ୟ କରୁଥିବା ଆଇରନ୍ ଟ୍ରାଇଏଙ୍ଗେଲ ଠିକା ସଂସ୍ଥା ବିରୋଧରେ ସ୍ଥାନୀୟ ଶ୍ରମିକ ଓ ଗ୍ରାମବାସୀ ମାନେ ଗୁରୁତର ଅଭିଯୋଗ କରିଛନ୍ତି। ନିର୍ମାଣ କାର୍ଯ୍ୟରେ ନିୟୋଜିତ ସ୍ଥାନୀୟ ମହିଳା ଶ୍ରମିକ ମାନଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ଆଣିଛନ୍ତି।
ଯାହାକୁ ନେଇ ମେଡିକାଲ ନିର୍ମାଣସ୍ଥଳ ପରିସରକୁ ଶହ ଶହ ଗ୍ରାମବାସୀ ମାନେ ଧସେଇ ପସିଥିଲେ। ପୁଲିସ ସମ୍ମୁଖରେ ଅଭିଯୁକ୍ତକୁ ଲୋକେ ଘେରିଥିଲେ। ପୁଲିସ ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ନେବା ସହ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା କିଛି ମାତ୍ରାରେ ଥମିଥିଲା। ରଙ୍ଗାମାଟିଆ ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ନିର୍ମାଣ କାର୍ଯ୍ୟ ନେଇ ଠିକା ସଂସ୍ଥା ଆଇରନ୍ ଟ୍ରାଇଏଙ୍ଗେଲ ଲିମିଟେଡ୍ ଦାୟିତ୍ୱ ପ୍ରଦାନ କରାଯାଇଛି। ବାହାର ରାଜ୍ୟରୁ ଶ୍ରମିକ ମାନେ ଏଠି କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଶ୍ରମିକ ମାନଙ୍କୁ ମଧ୍ୟ ଠିକା ସଂସ୍ଥା ନିୟୋଜିତ କରିଛନ୍ତି।
ତେବେ ସ୍ଥାନୀୟ ମହିଳା ମାନଙ୍କୁ ଏଠାରେ ଅସାଦାଚରଣ କରାଯାଉଥିବା ବାରମ୍ବାର ଅଭିଯୋଗ ଆସିଛି। ଜଣେ ନୁହେଁ ଦୁଇଜଣ ନୁହେଁ ଏକାଧିକ ମହିଳା ଏଭଳି ଅଭିଯୋଗ ଆଣିବା ପରେ ସ୍ଥାନୀୟ ଲୋକେ ତାତିଛନ୍ତି। ଯାହାକୁ ନେଇ ବୁଧବାର ସ୍ଥାନୀୟ ଲୋକେ ଏଭଳି ଅଭିଯୋଗ ପାଇ ଶହ ଶହ ସଂଖ୍ୟାରେ ଆସି ନିର୍ମାଣାଧିନ ମେଡିକାଲ ପରିସରରେ ଧସେଇ ପସିବା ସହ ଅସଦାଚରଣ କରିଥିବା ଲୋକଙ୍କୁ ଅଟକ ରଖିଥିଲେ। ଖବର ପାଇ ବାରିପଦା ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଁଛି ଭିଡ ମଝିରୁ ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଅନ୍ୟପଟେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଆନ୍ଦୋଳକାରୀଙ୍କୁ ବୁଝାସୁଝା କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରତିଶ୍ରୁତି ପାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ଆଇରନ ଟ୍ରାଇଫେଲ ପ୍ରଜେକ୍ଟ ମ୍ୟାନେଜର ଦିବ୍ୟଲୋଚନ ବେହେରା ଘଟଣାସୁଳରୁ ପଳାଇ ଯିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା। ଅନ୍ୟପଟେ ଏ ବାବଦରେ ଫୋନ ଯୋଗେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିବା ବେଳେ ଫୋନର ଉତ୍ତର ଦେଇନଥିଲେ।