ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାତି ପହିଲେ ମାଟ୍ରିକ ପରୀକ୍ଷା, କିନ୍ତୁ ଏପଟେ ରାଜ ରାସ୍ତାରେ ଶିକ୍ଷକ | ନିଜର ଦାବି ପୂରଣ ପାଇଁ ୧୨ ଦିନ ହେଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି ।
ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା) ପକ୍ଷରୁ ଚାଲିଛି ଦାବି ହାସଲ ଆନ୍ଦୋଳନ। ୧୯୪ ସ୍କୁଲକୁ ଅନୁଦାନ ଦେବା ପାଇଁ ସରକାରଙ୍କୁ ଦାବି ସହ ୭ମ ବେତନ ହାରରେ ଦରମା ରହିଛି ପ୍ରମୁଖ ଦାବି। ରାଜ୍ୟରେ ଓଷ୍ଟା ଶିକ୍ଷକଙ୍କ ସଂଖ୍ୟା ପ୍ରାୟ ୩୦ ହଜାର। ସେମାନେ ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷାରେ ସହଯୋଗ ନକରିବାକୁ ଧମକ ଦେବା ପରେ ପରୀକ୍ଷା ପରିଚାଳନରେ ଗୁରୁତର ସମସ୍ୟା ଉପୁଜିବା ଆଶଙ୍କା ରହିଛି। ଦାବି ପୂରଣ ନକଲେ ଧାରଣାରୁ ହଟିବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହାରି ଭିତରେ ଆଲୋଚନା ପାଇଁ ସରକାର ଆଜି ଶିକ୍ଷକଙ୍କ ଡାକିଛନ୍ତି ।
ଆସନ୍ତାକାଲିଠାରୁ ମାଟ୍ରିକ୍ ପରୀକ୍ଷା ଥିବାରୁ ସମାଧାନର ବାଟ ବାହାରିପାରେ । ୨୩୪ଟି ଅନୁଦାନପ୍ରାପ୍ତ ସ୍କୁଲକୁ ତୁରନ୍ତ ଅନୁଦାନ ପ୍ରଦାନ, ୨୨୬ ଓ ୩୯୯ ସ୍କୁଲକୁ ସପ୍ତମ ବେତନ କମିଶନ ହାରରେ ଦରମା, ୬୦୮ ପୂର୍ଣ୍ଣଅନୁଦାନ ସ୍କୁଲକୁ ସରକାରୀକାରଣ, ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦିରେ ଆନ୍ଦୋଳନ କରିଛି ସଂଘ ।