ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବନ୍ଧୁକ ଦେଖାଇ ଲୁଟିନେଲେ 5 ଲକ୍ଷ ଟଙ୍କାର ଅଳଙ୍କାର | ରାଜଘାଟ ଓଟି ରୋଡ୍ରେ ଜଣେ ବ୍ୟବସାୟୀଙ୍କଠାରୁ 2 ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ନଗଦ ଟଙ୍କା ସହ ପାଖାପାଖି 5 ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ଜଳେଶ୍ଵର ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ମହମ୍ମଦନଗର ପାଟଣା ପଞ୍ଚାୟତ ନୂଆଗାଁ ଗ୍ରାମର ସୁନା ଦେକାନୀ ଚନ୍ଦନ ରଣା ରାତି ପ୍ରାୟ ୯ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ | ହେଲେ ଘରଠାରୁ ମାତ୍ର କିଛି ଦୂରରେ ଥିବା ନୂଆଗାଁ ବସ୍ଷ୍ଟପ୍ ନିକଟରେ ଏକ ବାଇକ୍ରେ 2 ଜଣ ଯୁବକ ପୋଲସର ଆସି ତାଙ୍କୁ ଅଟକାଇଥିଲେ | ପରେ ମୁଣ୍ଡରେ ବନ୍ଧୁକ ରଖି ତାଙ୍କ ବାଇକ୍ ଡିକିରେ ଥିବା ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଇ ୧୬ ନମ୍ବର ଜାତୀୟ ରାଜପଥ ଆଡ଼କୁ ପଳାଇଥିଲେ।
ଏହି ସମୟରେ ଅନ୍ୟଜଣେ ବାଇକ୍ ଆରୋହୀ ଏହି ଦୃବୃତ୍ତମାନଙ୍କୁ ପିଛା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଦୃତଗତିରେ ବସ୍ତା ଆଡ଼କୁ ପଳାଇଥିଲେ। ଚନ୍ଦନ ଏନେଇ ଜଳେଶ୍ଵର ଥାନାରେ ଅଭିଯୋଗ କରିବା ପରେ ଜଳେଶ୍ବର ଓ ବସ୍ତା ପୁଲିସ ଲୁଟେରାମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।