ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ମାଟ୍ରିକ ପରୀକ୍ଷା । ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପାଇଁ ପିଲାମାନେ ପରୀକ୍ଷାଦେବେ। ମାର୍ଚ୍ଚ 4 ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ପରୀକ୍ଷାର୍ଥୀଙ୍କ ପାଇଁ ସକାଳ 7.30ରେ ପରୀକ୍ଷା କେନ୍ଦ୍ର ଖୋଲିବ ଓ ପରୀକ୍ଷାର୍ଥୀଙ୍କୁ 8.30ରେ OMR ଫର୍ଦ୍ଦ ପ୍ରଦାନ କରାଯିବ । ସକାଳ 8.45ରେ ପ୍ରଶ୍ନପତ୍ର ଦିଆଯିବ ଓ 9ଟାରେ ପରୀକ୍ଷା ଆରମ୍ଭ ହୋଇ ଦିନ 11ଟାରେ ସରିବ । ପ୍ରଥମ ଭାଗ (ଅବଜେକ୍ଟିଭ) ପରୀକ୍ଷା ସକାଳ 9ଟାରୁ 10ଟା ଓ ଦ୍ୱିତୀୟ ଭାଗ (ସବଜେକ୍ଟିଭ) ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହୋଇ ସାଢେ 11ଟାରେ ସରିବ । ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା କରାଯିବ । ଅନ୍ୟପଟେ ପରୀକ୍ଷାକୁ ନେଇ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । କପି ମୁକ୍ତ ପରୀକ୍ଷା କରିବା ପାଇଁ କେନ୍ଦ୍ରଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଆଜିଠୁ (ମଙ୍ଗଳବାର) ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରିଛି ବୋର୍ଡ । ଏହି ସବୁ କ୍ୟାମେରା ଉପରେ ବୋର୍ଡ ମୁଖ୍ୟାଳୟରୁ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ନଜର ରଖାଯିବ ।
ଏହାସହ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV ଲାଇଭ ଷ୍ଟ୍ରିମିଙ୍ଗ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ବୋର୍ଡ କର୍ତ୍ତୃପକ୍ଷଙ୍କ ସହ 20 ଜଣ ଏକ୍ସପର୍ଟଙ୍କ ନଜରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ । ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ କପି କରନ୍ତି, ମୋବାଇଲ ବ୍ୟବହାର ହୁଏ, ପରୀକ୍ଷାର୍ଥୀ କଥାବାର୍ତ୍ତା ହୁଅନ୍ତି କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ ତେବେ ଏହି ଏଆଇ କ୍ୟାମେରା ମାଧ୍ୟମରେ କମାଣ୍ଡ ସିଧା ବୋର୍ଡ କମାଣ୍ଡ କଣ୍ଟ୍ରୋଲ ରୁମରେ ପହଞ୍ଚିବ । ଏହାପରେ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।