ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାରି ରହିଛି ସୂର୍ଯ୍ୟଙ୍କ କୋପ। ଲଗାତାର ଦ୍ବିତୀୟ ଦିନ ପାଇଁ ରାଜ୍ୟର ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜିଠୁ ୨୬ ତାରିଖ ଯାଏ ବର୍ଷା ହେବାକୁ ଥିବାବେଳେ, ୨୪ ତାରିଖରେ ବର୍ଷାର ପରିମାଣ ବଢିପାରେ ।
ସୂଚନା ଅନୁସାରେ, ୧୫ଟି ସ୍ଥାନରେ ଦିନର ତାପମାତ୍ରା ୩୫ ଡିଗ୍ରି କିମ୍ବା ତାଠାରୁ ଅଧିକ ରହିଛି। ୩୬.୪ ଡିଗ୍ରି ସହ ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହାବ୍ୟତୀତ ଟିଟିଲାଗଡ଼ ଓ ଭବାନୀପାଟଣାରେ ୩୬ ଡିଗ୍ରି, ଚାନ୍ଦବାଲି ଓ ଭଦ୍ରକରେ ୩୫.୮, ଝାରସୁଗୁଡ଼ାରେ ୩୫.୬, ସୋନପୁର ଓ ବୌଦ୍ଧରେ ୩୫.୫, ନୟାଗଡ଼ ଓ ବଲାଙ୍ଗୀରରେ ୩୫.୪, ଢ଼େଙ୍କାନାଳରେ ୩୫.୨, କଟକ, ଅନୁଗୁଳ, ମାଲକାନଗିରି ଓ ତାଳଚେରରେ ୩୫ ଡିଗ୍ରି ଲେଖାଏ ରେକର୍ଡ କରାଯାଇଛି। ଆଜି ପରି ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶାରେ ତାତି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ତେବେ ଆଶ୍ବସ୍ତିର ବିଷୟ ହେଉଛି ଯେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି ଯେ ସ୍ୱାଭାବିକ ଭାବେ ଫେବ୍ରୁଆରି ତୃତୀୟ ସପ୍ତାହଠାରୁ ତାପମାତ୍ରା ବୃଦ୍ଧି ହୋଇଥାଏ। ଜାନୁଆରି ୧୪ ପରଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ ତାପମାତ୍ରା ବୃଦ୍ଧି ହୋଇଥାଏ। ଗୁରୁଚାପ ବଳୟ ଯୋଗୁ ଦିନ ସମୟରେ ପଶ୍ଚିମ ଦକ୍ଷିଣ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେବା ଦ୍ୱାରା ଦିନ ତାପମାତ୍ରା ବୃଦ୍ଧି ହେଉଛି।