ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ | ସ୍ଥାନୀୟ ଛଉ ପଡ଼ିଆ ଠାରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସମାବେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇ କର୍ମୀ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ।
ଉତ୍ତର ଓଡିଶାର ୪ଗୋଟି ସଂସଦୀୟ କ୍ଷେତ୍ର ଯଥା- ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ରକୁ ନେଇ କ୍ଲଷ୍ଟର ସ୍ତରୀୟ ଉକ୍ତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଅନେକ ସଂଖ୍ୟକ କର୍ମୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଯୋଜନାର ପ୍ରଚାର ପ୍ରାସାର କରିବା ନେଇ କର୍ମକର୍ତ୍ତାଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ୪୦୦ରୁ ଉର୍ଦ୍ଧ୍ବ ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟି ବିଜୟ ଲାଭ କରିବାର ସଂକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଛନ୍ତି। ତାହାକୁ ପୂରଣ କରିବା ପାଇଁ କାର୍ଯ୍ୟ କରିବାକୁ କର୍ମୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଘରୋଇ ବିମାନ ଯୋଗେ ପଶ୍ଚିମବଙ୍ଗର କୋଳେଇକୁଣ୍ଡା ସ୍ଥିତ ପ୍ରତିରକ୍ଷା ବିଭାଗର ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ। ସେଠାରୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ବାରିପଦାର ପୁଲିସ ପଡ଼ିଆ ଠାରେ ଅବତରଣ କରି ଛଉ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ କୋଳେଇକୁଣ୍ଡା ହୋଇ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କର ଗସ୍ତ ସମୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପ୍ରତିରକ୍ଷା ବିଭାଗ ପରାମର୍ଶଦାତା ସଂଜୀବ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ମଞ୍ଚରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ, ବାଲେଶ୍ଵର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ବଡ଼ସାହି ବିଧାୟକ ସନାତନ ବିଜୁଳି, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଯଶିପୁର ବିଧାୟକ ଗଣେଷ ରାମ ସିଂ ଖୁଣ୍ଟିଆ, ସାରସକଣା ବିଧାୟକ ବୁଢାନ ମୁର୍ମୁ, ଉଦଳା ବିଧାୟକ ଭାସ୍କର୍ ମଢେଇ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, କେନ୍ଦୁଝର ବିଧାୟକ ମୋହନ ମାଝୀ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ବିଜେପି ମୟୂରଭଞ୍ଜ (ପୂର୍ବ) ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ଓ ନବୀନ ରାମ, ଅଭିମନ୍ୟୁ ସେଠି, ମୟୁରଭଞ୍ଜ ଜିଲ୍ଲାର ମହାରାଜା ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏବଂ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।