ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଜବତ ହେଲା ୩୨ କେଜିରୁ ଅଧିକ ସୁନା। ଜିଏସ୍ଟି ଫାଙ୍କି ସୁନା ଅଳଙ୍କାର ମୁମ୍ବାଇରୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସୁଥିବା ବେଳେ GRP ହାତରେ ୪ ଜଣ ଧରାପଡ଼ିଛନ୍ତି । ଗତକାଲି ବିଳମ୍ବିତ ରାତିରେ କୋଣାର୍କ ଏକ୍ସପ୍ରେସରୁ ୪ ଜଣ ଅଭିଯୁକ୍ତ ଆସି ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ । ସେମାନେ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଷ୍ଟେସନ ବାହାରକୁ ଆସୁଥିବା ବେଳେ ରେଳବାଇ ପୋଲିସକୁ ଦେଖି ଦୌଡ଼ିବାକୁ ଲାଗିଥିଲେ । ସେମାନଙ୍କୁ କାବୁ ପରେ ବ୍ୟାଗରୁ ୩୨ କେଜିର ସୁନା ଅଳଙ୍କାର ମିଳିଥିଲା । ହେଲେ ସେମାନଙ୍କ ପାଖରେ ଇ ୱେ ବିଲ୍ ନଥିଲା । ସୁନା ଅଳଙ୍କାର ସଂପର୍କରେ ମଧ୍ୟ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । କାହାକୁ ସେମାନେ ଏହି ସୁନା ଅଳଙ୍କାର ଦେବାକୁ ଆଣିଥିଲେ । କେବେଠୁ ଚାଲିଛି ଠକେଇ । ଏଥିରେ ଭୁବନେଶ୍ୱରର କେଉଁ ସୁନା ବ୍ୟବସାୟୀ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ ଚାଲିଛି ।
ଜିଆରପି ପୋଲିସର ସୂଚନା ଅନୁଯାୟୀ ଗତ କାଲି ରାତି ପ୍ରାୟ ୧୧.୩୦ଟା ସମୟରେ ଷ୍ଟେସନରେ ନିଜ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଥିବା ଜିଆରପି ପୋଲିସ୍ ଚାରିଜଣ ବ୍ୟକ୍ତିଙ୍କୁ ଦେଖିଥିଲେ । ସେମାନଙ୍କ ଚାଲି ଚଳନ ଉପରେ ସନ୍ଦେହ ହୋଇଥିଲା।ତେଣୁ ସେମାନଙ୍କୁ ଜିଆରପି ଥାନାକୁ ନେଇ ପଚରା ଉଚୁରା ସହିତ ଜିନିଷ ପତ୍ର ଯାଞ୍ଚ କରି ଥିଲେ।ସେହି ସମୟରେ ଅନେକ ସୁନା ଗହଣା ୪ ଟି ଲଗେଜରୁ ବାହାରିଥିଲା। ସେସବୁକୁ ଓଜନ କରିବାରୁ ୩୨ କେଜି ଥିବାର ଜଣା ପଡିଥିଲା। ଯାହାର ବଜାର ମୂଲ୍ୟ ୧୬କୋଟି ହେବ ବୋଲି ଅନୁମାନ କରୁଛି ଜିଏସଟି ଓ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ। ତେବେ ସେହି ଧରା ପଡ଼ିଥିବା ଚାରିଜଣ ବ୍ୟକ୍ତି ମୁମ୍ବାଇରୁ ଭୁବନେଶ୍ୱର ଆଣୁ ଥିଲେ ସୁନା।
ଭୁବନେଶ୍ୱରରେ ଥିବା ବିଭିନ୍ନ ସୁନା ଦୋକାନରେ ଏହି ସୁନାକୁ ବିକ୍ରି କରିଥାନ୍ତେ। ସେମାନେ ମୁମ୍ବାଇର ସୁନାରୂପା ନାମକ ଏକ ସୁନା ଗହଣା ଦୋକାନରୁ ଏହି ସବୁ ସୁନା ଆଣି ଥିଲେ। ଯାହାର ହଲ୍ ମାର୍କ ନଥିଲା।ଏଠାରେ ଏସବୁ ସୁନା ଉପରେ ହଲ୍ ମାର୍କ ଲଗାଇ ବିକ୍ରି କରାଯାଇଥାନ୍ତା।ତେବେ ଏହି ସୁନାରୂପା ଦୋକାନର ମାଲିକ GST ଠକିବା ପାଇଁ ଏସବୁ ଗଳା ବାଟରେ ଚୋରା ସୁନା ଗହଣା କିଣା ବିକାର କାରବାର କରୁଥିଲେ। ବାହାରୁ ବିନା ଜିଏସଟିରେ ସୁନା ଗହଣା ଆଣି ଏଠାରେ ଜିଏସିଟି ଲଗାଇ ସୁନା ଦୋକାନୀ ମାନେ ଲୋକଙ୍କୁ ଲୁଟୁଛନ୍ତି। ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି ବୋଲି ଜିଆରପି ଏସଡପିଓ କହିଛନ୍ତି।ତେବେ ଏତେ ସୁନା ଗହଣା ଆଗରୁ ସେମାନେ ଅନେକ ଥର ନେବା ଆଣିବା କରୁଥିଲେ ବୋଲି ଧରା ପଡ଼ିଥିବା ବ୍ୟକ୍ତି ମାନେ ସ୍ବୀକାର କରିଛନ୍ତି । ପୋଲିସ ଏବଂ ଜିଏସଟି ବର୍ତ୍ତମାନ ସୁଦ୍ଧା ଛନ ଭିନ୍ ଜାରି ରଖିଛନ୍ତି।