ଗତ ୧୩ ଦିନ ଧରି ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଅଶୋଧିତ ତୈଳ ମୂଲ୍ୟ ଉପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ପ୍ରଭାବ ମଧ୍ୟ ଦେଖାଯାଉଛି। ଅଶୋଧିତ ତୈଳ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଅଶୋଧିତ ତୈଳ ଦର ବୃଦ୍ଧି ହେବାର ପ୍ରଭାବ ଭାରତରେ ମଧ୍ୟ ଦେଖାଯାଇପାରେ ବୋଲି ଆଶଙ୍କା କରାଯାଉଛି। କୁହାଯାଉଛି ଯେ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବହୁଗୁଣିତ ହୋଇପାରେ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ହେବାର କଳ୍ପନାଜଳ୍ପନା ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ହାର୍ଦ୍ଦିକ ସିଂ କହିଛନ୍ତି, ‘ନିର୍ବାଚନ ହେତୁ ଆମେ ମୂଲ୍ୟ ବୃଦ୍ଧି କରିନାହୁଁ। ଏହା କହିବା ଭୁଲ୍ ହେବ। କମ୍ପାନୀଗୁଡିକ ତୈଳ ମୂଲ୍ୟ ଉପରେ ନିଷ୍ପତ୍ତି ନେବାକୁ ପଡିବ କାରଣ ସେମାନଙ୍କୁ ମଧ୍ୟ ବଜାରରେ ରହିବାକୁ ପଡିବ। ଅନ୍ତର୍ଜାତୀୟ ବଜାର ଅନୁଯାୟୀ ତୈଳ ମୂଲ୍ୟ ନିର୍ଣ୍ଣୟ କରାଯାଏ। ପୁରୀ ଆହୁରି କହିଛନ୍ତି ଯେ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ଆମେ ଭାରତରେ ତୈଳର ଅଭାବ ହେବାକୁ ଦେବୁ ନାହିଁ। ପରବର୍ତ୍ତୀ ସମୟରେ ଆମେ ଯାହା ନିଷ୍ପତ୍ତି ନେଉଛୁ, ଆମ ନାଗରିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ଗ୍ରହଣ କରିବୁ।