ଆଣ୍ଡାମାନ ଛୁଇଁଲା ମୌସୁମୀ; ବଙ୍ଗୋପସାଗରରେ ଦାନାବାନ୍ଧୁଛି ବାତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କୋମୋରିନ-ମାଲଦ୍ବୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଏବଂ ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଅଞ୍ଚଳକୁ ଅଗ୍ରସର ହୋଇଛି।  ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃ‌ଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ସହ ଅଧିକ ସକ୍ରିୟ ହେବ। ଏହା ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ‌ ହେବ।

ପାଣିପାଗ ବିଭାଗର ନିୟମାନୁଯାୟୀ, ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିଥାଏ, ଅର୍ଥାତ ଜୁନ ୧୨ ସ୍ବାଭାବିକ ତାରିଖ ଥିବାବେଳେ ସ୍ବଭାବିକ ସମୟ ପୂର୍ବରୁ କିମ୍ବା ପରେ ଆସିପାରେ। ଚଳିତ ବର୍ଷ ଜୁନ ୧୦ରୁ ୧୫ ତାରିଖ ଭିତରେ ମୌସୁମୀ ଓଡ଼ିଶା ଆସିବା ସମ୍ଭାବନା ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେବାରେ ପାଗ ଅନୁକୂଳ ରହିଛି।   ଘୂର୍ଣ୍ଣିବଳୟ ଚିତ୍ର ସ୍ପଷ୍ଟ ହୋଇ ନଥିବାରୁ, ଏହା ସୃଷ୍ଟି ହେବା ପରେ ଯାଇ କେଉଁ ଦିଗରେ ଗତି କରିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଆଇଏମ୍‌ଡି ଜିଏଫ୍‌ଏସ୍‌ ମଡେଲ ଅନୁସାରେ ୨୧ତାରିଖରେ ତାମିଲନାଡୁ ନିକଟରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୩/୨୪ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ରୂପନେବ। ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ-ମିଆଁମାର ମୁହାଁ ହେବ ବୋଲି ଆକଳନ କରାଯାଇଛି। ତେବେ ଜିଏଫଏସ(ଆମେରିକୀୟ ମଡେଲ) ଅନୁଯାୟୀ ୨୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି କରିବ।

ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପ ଏବଂ ୩୬ ଘଣ୍ଟା ପରେ ଅବପାତରେ ପରିଣତ ହୋଇପାରେ। ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ, ଯାହାକି ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ମୁହାଁ ହୋଇପାରେ। ଆସନ୍ତା ୨୨ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାଥମିକସ୍ତରରେ ଉତ୍ତର-ପୂର୍ବ ଦିଗରେ ଗତି କରିବା ସମ୍ଭାବନା ଥିବାବେଳେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ।

Leave A Reply

Your email address will not be published.