ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋଲକାତାରେ ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନୱାରଙ୍କ ହତ୍ୟା ମାମଲାରେ ଏକ ସାଙ୍ଘାତିକ ଦିଗ ସାମ୍ନାକୁ ଆସିଛି। ହତ୍ୟା ପରେ ସାଂସଦ ଅନୱାରଙ୍କ ଚର୍ମ କାଢି ନିଆଯିବା ସହ ହାଡ଼କୁ ଖଣ୍ଡ ଖଣ୍ଡ କରି ଦିଆଯାଇଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ସିଆଇଡି ଟିମ୍ |ହତ୍ୟାମାମଲାରେ ସମ୍ପୃକ୍ତି ଅଭିଯୋଗରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବନଗାଓଁ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, କୋଲକାତା ବିମାନବନ୍ଦର ସ୍ଥିତ ଏକ ଭଡ଼ା ଘରୁ ବାଂଲାଦେଶ ସାଂସଦ ଅନୱାରୁଲ ଅଜିମଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ପରିଚୟ ନଷ୍ଟ ପାଇଁ ଶରୀରରୁ ଚର୍ମ କାଢି ନିଆଯିବା ସହ ହାଡକୁ ଖଣ୍ଡ ଖଣ୍ଡ କରାଯାଇଛି। ପଶ୍ଚିମବଙ୍ଗ ଅପରାଧ ତଦନ୍ତକାରୀ ସଂସ୍ଥା(ସିଆଇଡି) ଏହି ମାମଲାର ଜଣେ ସନ୍ଦିଗ୍ଧକୁ ଗିରଫ କରିବା ପରେ ପୂରା ମାମଲା ସାମ୍ନାକୁ ଆସିଛି। ସିଆଇଡି ସୂତ୍ରରୁ ଜଣାପଡିଛି ଯେ, ସନ୍ଦିଗ୍ଧ ଜିହାଦ ହାୱଲଦାର ଅଜିମ ଅନୱାରଙ୍କୁ କୋଲକାତାରେ ହତ୍ୟା କରିଛି। ହାୱଲଦାର ହେଉଛି ଜଣେ ପେସାଦାର ବଚର୍(ଯିଏକି ପଶୁ ହତ୍ୟା କରିବା ସହ ସେମାନଙ୍କ ଚମଡା ବାହାର କରିଥାଏ)।
ସେ ବାଂଲାଦେଶର ଖୁଲନା ଜିଲ୍ଲାର ବାରକପୁରର ବାସିନ୍ଦା ହୋଇଥିବା ବେଳେ ବେଆଇନ ଭାବେ ମୁମ୍ବାଇରେ ରହୁଥିଲା। ଗତ ୧୩ ତାରିଖରେ ପୀଡ଼ିତ କୋଲକାତାରୁ ନିଖୋଜ ହେବା ପରେ ବାଂଲାଦେଶର ଝେନାଇଦା-୪ ବର୍ଗର ଆୱାମୀ ଲିଗ୍ ସାଂସଦ ଅନାରଙ୍କୁ ବୁଧବାର ପଶ୍ଚିମବଙ୍ଗ ପୁଲିସ ହତ୍ୟା କରିଥିବା ନିଶ୍ଚିତ କରିଛି। ଶୁକ୍ରବାର ରାଜ୍ୟ ସିଆଇଡି ଅଧିକାରୀମାନେ ଗିରଫ ବ୍ୟକ୍ତିଙ୍କୁ ଭଙ୍ଗର ଅଞ୍ଚଳକୁ ନେଇ ଯାଇଥିଲେ, ଯେଉଁଠାରେ କଟା ଶରୀରର ଅଙ୍ଗଗୁଡ଼ିକୁ ପ୍ଲାଷ୍ଟିକ୍ ବ୍ୟାଗ୍ରେ ରଖାଯାଇ ବିଭିନ୍ନ ସ୍ଥାନରେ ଫିଙ୍ଗି ଦିଆ ଯାଇଥିଲା।