ମହାପ୍ରଭୁଙ୍କ ଚାପ ଖେଳ ବେଳେ ବାଣ ବିସ୍ଫୋରଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ । ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଖେଳ ବେଳେ ବାଣ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ରୁ ଅଧିକ ଗୁରୁତର ହୋଇ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ନାବାଳକ ଥିବା ଜଣାଯାଇଛି।  ସେହିପରି ଭୁବନେଶ୍ୱରର ଦୁଇ ଘରୋଇ ହସ୍ପିଟାଲରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗତକାଲି (ବୁଧବାର) ସନ୍ଧ୍ୟାରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଏହି ଅଘଟଣ ଘଟିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଜଣଙ୍କୁ କଟକ ଓ ଭୁବନେଶ୍ବର ପଠାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଶ୍ରଦ୍ଧାଳଙ୍କୁ ଅବସ୍ଥା ଗୁରୁତର ରହିଛି ।

ତେବେ ସୂଚନା ମୁତାବକ, ଗତ  ରାତିରେ ମହାପ୍ରଭୁଙ୍କ ଭଉଁରୀ ନୀତି ଚାଲିଥିବା ସମୟରେ ନୀତି ଦେଖିବାପାଇଁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା। ଏହି  ସମୟରେ ଦେବୀଘାଟ ନିକଟ ଦସତୁଠ ନିକଟରେ ବାଣ ବିସ୍ଫୋରଣ ହୋଇଥିଲା। ଏଥିଯୋଗୁ ନିଆଁ ହୁଳା ଉପସ୍ଥିତ ଲୋକଙ୍କ ଉପରେ ପଡ଼ିବାରୁ ସେମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ପାଣିକୁ ମଧ୍ୟ ଡେଇଁ ପଡିଥିଲେ ।  ବାଣ ପଡ଼ି  ସେଠାରେ ଉପସ୍ଥିତ ପ୍ରାୟ ୩୦ ଜଣ ଆତହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ଏବଂ ଭୁବନେଶ୍ୱର ଓ କଟକର ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଣ ଫୁଟି ପୋଡ଼ି ଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ କିଛି ଛୋଟ ପିଲା ମଧ୍ୟ ଅଛନ୍ତି।

କଟକରେ ଜଣେ ୧୫ ବର୍ଷୀୟ ନାବାଳକ ଓ ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲରେ ଦୁଇ ଜଣ ଆଖି ବୁଜିଛନ୍ତି। ଗତ ରାତିରେ ଏପରି  ଅଚାନକ ବାଣ ଫୁଟିବାରୁ ହସଖୁସିର ପରିବେଶ ହଠାତ୍‌ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ସମ୍ପର୍କୀୟମାନେ ଆହତଙ୍କୁ ଧରି ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ଏନେଇ ପୁରୀ ଏସ୍‌ପି ପିନାକ ମିଶ୍ର କହିଛନ୍ତି, ଚନ୍ଦନ ଯାତ୍ରା ବେଳେ ଏପରି ଅଘଟଣ ଘଟିଛି। ଗୁରୁତରଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି। ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଆମର ପ୍ରଥମ କର୍ତ୍ତବ୍ୟ । ଏହାପରେ ଘଟଣାର ତଦନ୍ତ କରାଯିବ ।

Leave A Reply

Your email address will not be published.