ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନ ଫଳାଫଳ ଆସିବା ପରେ ପୁଣି ବିଜେପି ସରକାର ଗଢିବା ନେଇ ସ୍ପଷ୍ଟ ହୋଇଛି । ୨୦୨୪ ନିର୍ବାଚନରେ ଓଡିଶାରେ ବିଜେପିକୁ ବହୁମତ ମିଳିଛି । ରାଜ୍ୟରେ ବିଜେପିର ଐତିହାସିକ ବିଜୟ ପାଇଁ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି। ଟ୍ବିଟ୍ କରି ସେ କହିଛନ୍ତି ଓଡ଼ିଶାରେ ଉତ୍ତମ ଶାସନ ଏବଂ ଓଡ଼ିଶାର ଅନନ୍ୟ ସଂସ୍କୃତି ପାଳନ ପାଇଁ ଏହା ଏକ ଐତିହାସିକ ବିଜୟ।
ଲୋକଙ୍କ ସ୍ୱପ୍ନ ପୂରଣ ଏବଂ ଓଡ଼ିଶାକୁ ପ୍ରଗତିର ନୂତନ ଉଚ୍ଚତାକୁ ନେବାରେ ବିଜେପି କୌଣସି ହେଳା କରିବ ନାହିଁ। ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ପ୍ରଥମ ଥର ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଟିପ୍ପଣୀ କରିଛନ୍ତି। ସେହିପରି, ସୋସିଆଲ ମିଡିଆ ଏକ୍ସରେ ଶାହ ଏକ ପୋଷ୍ଟରେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ସେବା କରିବାର ସୁଯୋଗ ମିଳିଛି। ଏଥିପାଇଁ ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ରାଜ୍ୟବାସୀଙ୍କୁ ନିଶ୍ଚିତ କରୁଛି ଯେ ଓଡ଼ିଆ ଅସ୍ମିତା ପାଇଁ କାର୍ଯ୍ୟ କରିବୁ। ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟକୁ ପ୍ରୋତ୍ସାହିତ ପାଇଁ ଉତ୍ସର୍ଗୀକୃତ। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ହାସଲ ହୋଇଥିବା
ଏହି ବିଜୟ ‘ବିକଶିତ ଭାରତ, ବିକଶିତ ଓଡ଼ିଶା’ର ସଂକଳ୍ପକୁ ସାକାର କରିବ। ଭାରତୀୟ ଜନତା ପାର୍ଟିର ବିଜୟ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା, ରାଜ୍ୟ ସଭାପତି ମନମୋହନ ସାମଲଜୀଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନଙ୍କର ଅକ୍ଲାନ୍ତ ପରିଶ୍ରମ ଓ ପ୍ରତିବଦ୍ଧତା ମୋଦୀଜୀଙ୍କ ଦର୍ଶନ ଏବଂ ଦଳର ଆଦର୍ଶକୁ ପ୍ରତି ଘରେ ପହଞ୍ଚାଇବ । ଏହି ନିର୍ଣ୍ଣାୟକ ବିଜୟକୁ ସୁରକ୍ଷିତ କରିବା ନିମନ୍ତେ ଆପଣଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।