24ବର୍ଷ ପରେ କ୍ଷମତା ପରିବର୍ତ୍ତନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସିଲା ଜନାଦେଶ। ସାଧାରଣ ନିର୍ବାଚନ ସହ ପ୍ରକାଶ ପାଇଛି 2 ରାଜ୍ୟ, ଓଡିଶା ଓ ଆନ୍ଧ୍ର ପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ।   କେନ୍ଦ୍ରରେ ଆରମ୍ଭ ହେବାକୁ ଯାଉଛି ମୋଦି ଶାସନର ତୃତୀୟ ପାଳି । ମାତ୍ର ଓଡିଶାର ବିଧାନସଭା ଫଳାଫଳ ସମଗ୍ର ଦେଶକୁ ଆଶ୍ଚର୍ଯ୍ୟ କରିଦେଇଛି । ଭାଙ୍ଗିଛି ଦୀର୍ଘ ଅଢେଇ ଦଶନ୍ଧିର କ୍ଷମତାର ଧାରା ।

ଓଡ଼ିଶାରେ ସକରକାର ଗଠନର ମ୍ୟାଜିକ ନମ୍ୱର ୭୪ଥିବା ବେଳେ ବିଜେପି ଏହାକୁ ପାର୍‌ କରି ପାଇଛି ୭୮ଆସନ। କେବଳ ସେତିକି ନୁହେଁ ଲୋକସଭାରେ ମଧ୍ୟ ବିଜେପି ବାଜି ମାରିଛି। ମୋଟ୍ ୨୧ ଆସନରୁ ବିଜେପି ଖାତାକୁ ଯାଇଛି ୨୦ଆସନ। ଚଳିତ ଥରର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି। ପରିବର୍ତ୍ତନ ନାରାରେ ସାମିଲ୍ ହୋଇଛନ୍ତି ରାଜ୍ୟବାସୀ। ଓଡ଼ିଶାରେ ବିଜେଡି ଶାସନକୁ କହିଛନ୍ତି ନା। ଗତକାଲି ଭୋଟ୍ ଗଣତି ଆରମ୍ଭ ହେବା ପରାଠାରୁ ହିଁ ବିଜେପି ଟ୍ରେଣ୍ଡ କରିଥିଲା। ମଧ୍ୟାହ୍ନ ସୁଦ୍ଧା ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା।

ଲୋକସଭାରେ ଗୋଟିଏ ପରେ ଗୋଟିଏ ସିଟ୍‌ରେ ଜିତି ଚାଲିଥିଲା ବିଜେପି। ଅପରାହ୍ନ ୨ଟା ସୁଦ୍ଧା ମ୍ୟାଜିକ୍ ନମ୍ବର ଛୁଇଁଯାଇଥିଲା ବିଜେପି। ସନ୍ଧ୍ୟା ବେଳକୁ ଚିତ୍ର ସ୍ପଷ୍ଟ ହୋଇଯାଇଥିଲା। ବିଜେଡି ନୁହେଁ, ବିଜେପି ହିଁ ଏବେ ରାଜ୍ କରିବ। 6ଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଭାରତୀୟ ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ଜନନେତା ହେବା ଧାରାରେ ଥିବା ନବୀନ, ନିଜ ରାଜନୈତିକ ଜୀବନର ପ୍ରଥମ ପରାଜୟକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି । ଏହା ସହ ପ୍ରତିଷ୍ଠା ପର ଠାରୁ ରାଜ୍ୟରେ କ୍ଷମତା ଚାଖି ଆସିଥିବା ବିଜୁ ଜନତା ଦଳ ମଧ୍ୟ ଏବେ ବିରୋଧୀ ଦଳ ଭୂମିକାକୁ ଗ୍ରହଣ କରିବାକୁ ନିଜକୁ ପ୍ରସ୍ତୁତ କରୁଛି ।

Comments are closed.