ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହୀରାକୁଦ ଡ୍ୟାମରୁ ପାଣି ଛାଡ଼ିବା ପରେ ଫୁଲୁଛି ମହାନଦୀ। କଟକ ମୁଣ୍ଡଳିରେ ବଢୁଛି ଜଳସ୍ତର। ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି | ତଳିଆ ଅଞ୍ଚଳରେ ମହାନଦୀ ପାଣି ସ୍ତର ବଢିବାରୁ ବିଲ ବାଡି ଚାରିଆଡେ ପାଣିଜମି ବନ୍ୟା ଭଳି ସ୍ଥିତି ସୃଷ୍ଟି କରିଛି । ଅନୁଗୋଳ ଜିଲାର ଆଠମଲ୍ଲିକଠାରେ ମହାନଦୀ ପାଣି ଦୁଇ କୂଳକୁ ଛୁଇଁଛି |
ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନ ଥିଲେ ମଧ୍ୟ ପାଣି ଦେଖି ବନ୍ୟା ନେଇ ଲୋକଙ୍କ ମନରେ ଛନକା ପଶିଛି । ସେହିପରି ମହାନଦୀର ସ୍ତର ବୃଦ୍ଧି ହେଉଥିବା କାରଣରୁ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଗୁଡିକରେ ବନ୍ୟା ଭଳି ସ୍ଥିତି ଦେଖାଦାଇଛି । ଏହା ସହିତ ବୈତରଣୀ ନଦୀ ଫୁଲୁଛି । ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଏହାର ତଳମୁଣ୍ଡ ଆଖୁଆପଦାରେ ଜଳସ୍ତର ବଢିବାରେ ଲାଗିଛି । ଏଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଜଳସ୍ତର ୧୭. ୨୪ରେ ପହଞ୍ଚିଲାଣି । ଯାହା ଏବେ ବନ୍ୟା ଆଶଙ୍କା ସୃଷ୍ଟି କରିଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି ବୋଲି ଜଣାପଡିଛି ।
ଗତକାଲି ରାତିରୁ ମୁଣ୍ଡଳିରେ ବନ୍ୟାଜଳ ନିଷ୍କାସିତ ହେବା ଆରମ୍ଭ କରିଛି। ମହାନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀ କୂଳିଆ ଲୋକଙ୍କ ଚିନ୍ତା ବଢ଼ିଛି। ବନ୍ୟା ଆଶଙ୍କା ନ ଥିଲେ ବି ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ୭ ଜିଲ୍ଲାକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଏହି ଜିଲ୍ଲାଗୁଡ଼ିକ ହେଉଛନ୍ତି ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ।