ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅଗଷ୍ଟ ୧ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରତିବର୍ଷ ପରି ଚଳିତ ବର୍ଷ ମେ’ ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା। ତେବେ ଅଗଷ୍ଟ ୧ରୁ ଏହା ଖୋଲିବ। କୁମ୍ଭୀର ପ୍ରଜନନ ଋତୁ ପାଇଁ ଗତ ମେ’ ପହିଲାରୁ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା।
ଏଠାରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ, ବଗ ଗହନରେ ପକ୍ଷୀଙ୍କ କଳରବ, ନଦୀ କୂଳରେ ବଉଳା କୁମ୍ଭୀର ଶୋଇଥିବାର ଦୃଶ୍ୟ ଓ ବିଶେଷକରି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଚଳିତଥର ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଛି ସ୍କାଏ ଓ୍ବାକ୍। ଏହା ଉପରକୁ ଯାଇ ପର୍ଯ୍ୟଟକମାନେ ପୁରା ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏହା କାଠରେ ନିର୍ମିତ ହୋଇଛି। ଗୋଟିଏ ଥରରେ ୨୦ ପର୍ଯ୍ୟଟକଙ୍କୁ ଏହା ଉପରକୁ ଚଢାଯିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଡାଙ୍ଗମାଳ ଠାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଥିବା ବେଳେ ସେହିଠାରେ ପ୍ରାକୃତିକ ପରିବେଶ ଉପଭୋଗ କରିବା ପାଇଁ ବନବିଭାଗ ପକ୍ଷରୁ ୱାକ ୱେ ନିର୍ମାଣ କରାଯାଇଛି। ଅଗଷ୍ଟ ୧ରୁ ପର୍ଯ୍ୟଟକମାନେ ନବନିର୍ମିତ ସ୍କାଏ ୱାକ୍ ବ୍ରିଜ୍ ମାଧ୍ୟମରେ ପ୍ରକୃତିର ବୈଭବ, ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି ସହିତ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ। ମ୍ୟାନଗ୍ରୋଭ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ ୱାକ୍ ବ୍ରିଜ୍ ଅଧିକ ସଂଖ୍ୟାରେ ହରିଣ ଭିଡ ଜମାଉଥିବା ପଡିଆ ଯାଏ ଲମ୍ବିଛି।