ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସର୍ବାଭାରତୀୟ ସେବା ପରୀକ୍ଷା ପରିଚାଳନା କରୁଥିବା ସଂଘ ଲୋକସେବା ଆୟୋଗ (UPSC)ର ନୂଆ ମୁଖ୍ୟ ହେଲେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରୀତି ସୁଦନ । ଆନ୍ଧ୍ର ପ୍ରଦେଶ କ୍ୟାଡରର ୧୯୮୩ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ପ୍ରୀତି ସୁଦାନ UPSCର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଅଗଷ୍ଟ ୧ରୁ ଦାୟିତ୍ୱ ଗ୍ରହଣ କରିବେ।
ସୂଚନାଯୋଗ୍ୟ, ପୂର୍ବତନ ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନିଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଥିଲା। ଟ୍ରେନି ଆଇଏଏସ୍ ପୂଜା ଖେଡକର ବିବାଦ ସାମ୍ନାକୁ ଆସିବା ପରେ ୟୁପିଏସସିର ପୂର୍ବତନ ମୁଖ୍ୟ ମନୋଜ ସୋନି ଇସ୍ତଫା ଦେଇଥିଲେ। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ଏବେ ତାଙ୍କ ସ୍ଥାନରେ ପ୍ରୀତି ସୁଦାନଙ୍କୁ ନିଯୁକ୍ତ କରାଯାଇଛି। ସେ ପ୍ରଶାସକ ଜୀବନରୁ ଅବସର ଗ୍ରହଣ କରିବା 2022 ରୁ UPSCର ସଦସ୍ୟ ଭାବେ ସାମିଲ ହୋଇଥିଲେ । ନିକଟରେ ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେବା ପରେ ପ୍ରୀତି ଏବେ ଆୟୋଗର ସର୍ବୋଚ୍ଚ ପଦ ଗ୍ରହଣ କରିବାକୁ ଯାଉଛନ୍ତି ।
ଆସନ୍ତାକାଲି ସେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରୂପେ ତାଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୦ରେ ଶେଷ ହୋଇଥିଲା। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟରେ କାର୍ଯ୍ୟ କରିବା ବ୍ୟତୀତ ପ୍ରୀତି ପ୍ରତିରକ୍ଷା ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ତାଙ୍କ କ୍ୟାଡର ରାଜ୍ୟ ଆନ୍ଧ୍ରପ୍ରଦେଶରେ ଅର୍ଥ, ଯୋଜନା, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ ଏବଂ କୃଷି ଦାୟିତ୍ୱରେ ଥିଲେ। ପ୍ରୀତି ସୁଦାନ ବିଶ୍ୱ ବ୍ୟାଙ୍କ ପାଇଁ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।