ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ରକ୍ତର ଛିଟା । ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଯୁବକଙ୍କୁ ଆକ୍ରମଣ ।ଆକ୍ରମଣରେ ଗ୍ୟାରେଜ ମାଲିକ ହାପି ଓ ତାର ସହଯୋଗୀ ଆହତ । ଆହତ ଯୁବକମାନେ ହେଲେ ଭୁବନେଶ୍ବର ସୁନ୍ଦରପଦା କପିଳ ପ୍ରସାଦ ପାଲାମଣ୍ଡପ ଅଞ୍ଚଳର ବାଦଲ ସାହୁ, ରୋସନ ଜେନା ଏବଂ ଭୀମଟାଙ୍ଗୀ ଅଞ୍ଚଳର ଅଙ୍କିତ ରଥ । ଗୁରୁତରମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଏୟାରପୋର୍ଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେହିପରି ରାଜନୈତିକ ଶତ୍ରୁତାକୁ ନେଇ ପୁରୀ ଜିଲ୍ଲା ଜାଗୁଳାଇପଦର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । ହୋଲିରେ ପୂର୍ବ ଯୋଜନା ମୁତାବକ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ଗୋଡେଇ ଗୋଡାଇ ଫାର୍ସାରେ ହାଣିଛନ୍ତି । ଆକ୍ରମଣରେ ୩ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପଞ୍ଚାୟତ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ରକ୍ତପାତର ରୂପ ନେଇଛି ।
କେନ୍ଦୁଝର ଗଡବାନ୍ଦୋଗଡ ଗାଁରେ ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନା ଲାଗି ରହିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଗଡବାନ୍ଦୋଗଡ ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ରଙ୍ଗ ଖେଳ ସମୟରେ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଟୁଟୁ ପାତ୍ରଙ୍କ ଗୋଷ୍ଠୀ ଓ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି । ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ଓ ଅନ୍ୟ ଆହତଙ୍କୁ ସାଇଁକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।