ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି କରୁଛନ୍ତି କାଉଡିଆ। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁ ମାନେ ପ୍ରବଳ ଭିଡ଼ ଜମାଇଛନ୍ତି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୋର ସମୟରୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ବିଭିନ୍ନ ଶୈବପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି।
ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ୱର, ବାବା ଆଖଣ୍ଡଳମଣି ଓ ପୁରୀର ବାବା ଲୋକନାଥ ପୀଠ ସବୁଠି ହଜାର ହଜାର କାଉଡ଼ିଆଙ୍କ ସମାଗମ ହୋଇଛି। ନିଜ ନିଜର ମନୋସ୍କାମନା ପୂରଣ ଲାଗି ଦେବଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି କାଉଡ଼ିଆ। ବୋଲ୍ ବମ୍ ନାରାରେ କମ୍ପୁଛି ମନ୍ଦିର ପରିସର। କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ କାଉଡିଆଙ୍କ ଭିଡ ଜମିଛି। କଂକ୍ରିଟ ପୋଲ ଉପରେ ଆସି ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପୂଜକ ସମିତି ପକ୍ଷରୁ ଭୋର୍ ୪ଟା ରେ ପହଡ ଖୋଲାଯାଇ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ କରାଯାଇ ମଙ୍ଗଳା ଆଳତୀ ସହିତ ସମସ୍ତ ନିତିକାନ୍ତି ସମାପନ କରାଯାଇଥିଲା ପରେ ଶ୍ରଦ୍ଧାଳୁମାନଙ୍କୁ ଜଳଲାଗି କରିବା ପାଇଁ ସୁଯୋଗ ଦିଆଯାଇଥିଲା। ଏଣେ ରାଜଧାନୀର ଲିଙ୍ଗରାଜ ମନ୍ଦିର ଓ ଢେଙ୍କାନାଳର କପିଳାସଠାରେ ବି ଅନୁରୂପ ଭିଡ଼ ପରିଲକ୍ଷିତ ହୋଇଛି।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ବାନେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି। ରାତି ଦୁଇଟାରେ ମନ୍ଦିର ଖୋଲିବା ପରେ ଲମ୍ବା ଲାଇନରେ ଆସି ପାଣି ଢାଳିଛନ୍ତି କାଉଡିଆ। ପୁଲିସ, ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ନୟାଗଡ଼ ଜିଲ୍ଲା ଶରଣକୂଳ ସ୍ଥିତ ଲଡ଼ୁବାବାଙ୍କ ପୀଠରେ ବୋଲବମ୍ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମନ୍ଦିର ପ୍ରଶାସନ ପକ୍ଷରୁ ଜଳ ଲାଗି କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
Comments are closed.