ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କନ୍ଧମାଳ-କଳାହାଣ୍ଡି ସୀମା ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ ହୋଇଛି। ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ମାଣିକ ସାରୁ ପାହାଡ଼ରେ ଠାବ ହେଲା ମାଓବାଦୀଙ୍କ କ୍ୟାମ୍ପ। ଘଟଣାସ୍ଥଳରୁ ନକ୍ସଲ ଫେରାର ଥିବା ବେଳେ ଜବତ ହେଲା ମାଓ ସାମଗ୍ରୀ। ଅନ୍ୟପକ୍ଷରେ ସର୍ଚ୍ଚ ଅପରେସନ ବେଳେ ସେଠାରେ ଏକ ନକ୍ସଲ କ୍ୟାମ୍ପ ଠାବ କରାଯାଇଛି। ଯାଞ୍ଚ ବେଳେ ସେଠାରୁ ଡେଟୋନେଟର ଓ ଅନ୍ୟାନ୍ୟ ଆଇଇଡି ସରଞ୍ଜାମ ଜବତ କରାଯାଇଛି।
ସୂଚନ ମୁତାବକ, ମାଣିକ ସାରୁ ପାହାଡ଼ରେ କିଛି ନକ୍ସଲ ଥିବା ଖବର ପାଇବା ପରେ ପୁଲିସ୍ ପକ୍ଷରୁ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଅପରେସନ ବେଳେ ଆଜି ଦିନ ୧୨ଟା ୧୫ରେ ମୁହାଁମୁହିଁ ହୋଇଥିଲେ ପୁଲିସ୍ ଓ ନକ୍ସଲ। ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ସହିତ ମୁକାବିଲା ନକରିପାରି ନକ୍ସଲମାନେ ସେଠାରୁ ଫେରାର ହୋଇଯାଇଥିଲେ। ୪ରୁ୫ ଜଣ ସଶସ୍ତ୍ର ନକ୍ସଲ ଫେରାର ହୋଇଯାଇଥିଲେ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ସୁରକ୍ଷାକର୍ମୀମାନେ ସେମାନଙ୍କର ପିଛା କରିଥିଲେ। ତେବେ ଘଞ୍ଚ ଜଙ୍ଗଲ ଓ ବର୍ଷାର ସୁଯୋଗ ନେଇ ନକ୍ସଲମାନେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ।
ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି କ୍ୟାମ୍ପ ଭିତରୁ ୫ଟି ସନ୍ଦିଗ୍ଧ ବଡ଼ ବଡ଼ ବ୍ୟାଗ୍ ଠାବ କଲେ କରିଛନ୍ତି। ସେହିପରି ଗୋଟିଏ ବ୍ୟାଗରୁ ବିସ୍ଫୋରକ ଡିଟୋନେଟର, ଆଇଇଡି ମଧ୍ୟ ଠାବ କରିଛନ୍ତି ସୁରକ୍ଷା କର୍ମୀ। ଆଜି ଅପରାହ୍ନ ପ୍ରାୟ ୧୨ ବେଳେ ଏହି ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଜଙ୍ଗଲରେ ୪ ରୁ ୫ ଜଣ ସଶସ୍ତ୍ର ନକ୍ସଲ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଖୋଜୁଛନ୍ତି ଯବାନ। ବର୍ଷା ଯୋଗୁଁ ଜଙ୍ଗଲରେ କମ ଦୃଶ୍ୟମାନ ହେଉଥିବାର ସୁଯୋଗ ନେଇ ମାଓବାଦୀ ଫେରାର ହେବାରେ ସଫଳ ହୋଇଥିଲେ।