ଶ୍ରାବଣ ଶେଷ ସୋମବାର : ଶିବ ମନ୍ଦିରରେ କାଉଡିଆଙ୍କ ଭିଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିଲାଗି ରାଜ୍ୟର ଅଧିକାଂଶ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହେଉଛି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୋର ସମୟରୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।   ବୋଲ ବମ୍ ହର ହର ବମ୍ ଧ୍ବନୀରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ଭୁବନେଶ୍ଵରର ପ୍ରଭୁ ଲିଙ୍ଗରାଜ, ଆଠଗଡର ବାବା ଧବଳେଶ୍ଵର ଏବଂ ଆରଡିର ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତଙ୍କର ପ୍ରବଳ ଗହଳି ଲାଗିଛି।

ତେବେ ଆଜି ଶେଷ ସୋମବାର ଓ ପୂର୍ଣ୍ଣିମା ପଡିଥିବାରୁ ସ୍ୱତନ୍ତ୍ର ମହାକାଳ ବେଶରେ ବାବା ଧବଳେଶ୍ୱର ଦର୍ଶନ ଦେଉଛନ୍ତି। ରାତି ଚାରିଟାରେ ମନ୍ଦିର ଦ୍ଵାର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯାଇଥିଲା । ଏହାପରେ ସର୍ବସାଧାରଣଙ୍କ ଦର୍ଶନ ସହିତ କାଉଡ଼ିଆମାନେ ଜଳଲାଗି କରିଥିଲେ । ସେପଟେ ଲକ୍ଷାଧିକ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ କାଉଡିଆଙ୍କ ଭିଡ ଜମିଛି। କଂକ୍ରିଟ ପୋଲ ଉପରେ ଆସି ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।

ପୂଜକ ସମିତି ପକ୍ଷରୁ ଭୋର୍ ୪ଟା ରେ ପହଡ ଖୋଲାଯାଇ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ କରାଯାଇ ମଙ୍ଗଳା ଆଳତୀ ସହିତ ସମସ୍ତ ନିତିକାନ୍ତି ସମାପନ କରାଯାଇଥିଲା ପରେ ଶ୍ରଦ୍ଧାଳୁମାନଙ୍କୁ ଜଳଲାଗି କରିବା ପାଇଁ ସୁଯୋଗ ଦିଆଯାଇଥିଲା। ଏଣେ ରାଜଧାନୀର ଲିଙ୍ଗରାଜ ମନ୍ଦିର ଓ ଢେଙ୍କାନାଳର କପିଳାସଠାରେ ବି ଅନୁରୂପ ଭିଡ଼ ପରିଲକ୍ଷିତ ହୋଇଛି।

Leave A Reply

Your email address will not be published.