ୟୁକ୍ରେନରେ ପ୍ରାଣ ହରେଇଥିବା ଡାକ୍ତରୀ ଛାତ୍ର ନବୀନ ଶେଖରପ୍ପାଙ୍କ ମରଶରୀର ବେଙ୍ଗାଲୁରୁରେ ପହଞ୍ଚିଲା, ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ପାଠ ପାଇ ମୃତଦେହ ଉତ୍ସର୍ଗ କଲେ ବାପା ମା

0

ରୁଷର ଏୟାର ଷ୍ଟ୍ରାଇକରେ ୟୁକ୍ରେନରେ ପ୍ରାଣ ହରାଇଥିବା ଜଣେ ଭାରତୀୟ ଡାକ୍ତରୀ ଛାତ୍ର ନବୀନ ଶେଖରପ୍ପାଙ୍କ ପରିବାର ସଦସ୍ୟ ତାଙ୍କ ମୃତଦେହକୁ ଏକ ମେଡିକାଲ କଲେଜକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର (ମାର୍ଚ୍ଚ ୨୧) ଆଜି ସକାଳେ ନବୀନଙ୍କ ମୃତଦେହ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ନବୀନଙ୍କ ଶବକୁ ଆଣିବା ପାଇଁ ଭାରତ ସରକାରଙ୍କୁ ବହୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥିଲା।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଗଣମାଧ୍ୟମକୁ କହିଛନ୍ତି ଯେ ନବୀନଙ୍କ ମୃତଦେହ ସୋମବାର ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ। ମୃତ ଛାତ୍ରଙ୍କ ପିତା ୟୁକ୍ରେନରୁ ପୁଅର ମୃତଦେହ ଆଣିବାରେ ବିଳମ୍ବ ଯୋଗୁଁ ଦୁଃଖ ପ୍ରକାଶ କରି କହିଥିଲେ ଯେ ଶେଷ ଥର ପାଇଁ ସେମାନେ ତାଙ୍କ ପୁଅର ଶବକୁ ଦେଖିବେ। ପରିବାର ସଦସ୍ୟଙ୍କ କହିବାନୁସାରେ, ମୃତଦେହ ସୋମବାର ଦିନ ୱାଲଗେରି ଗ୍ରାମରେ ପହଞ୍ଚିବ | ଅନ୍ତିମ ସଂସ୍କାର ପରେ ନବୀନଙ୍କ ପରିବାର ପକ୍ଷରୁ ତାଙ୍କ ଶରୀରକୁ ଦାବନାଗେରର ଏସ୍ ମେଡିକାଲ୍ କଲେଜରେ ଦାନ କରାଯିବ | ଛାତ୍ରଙ୍କ ପିତା କହିଛନ୍ତି ଯେ ମେଡିକାଲ ପାଠରେ ନବୀନ ଆଗ୍ରହୀ ଥିଲା । ସେ ଜଣେ ଡାକ୍ତର ହେବାକୁ ଚାହୁଁଥିଲା । ତେଣୁ ଆମେ ତା’ର ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଛୁ ଯଦ୍ବାରା ଡ଼ାକ୍ତରୀ ଛାତ୍ରମାନେ ଉପକୃତ ହୋଇପାରିବେ।

ମାର୍ଚ୍ଚ ୧ରେ ୟୁକ୍ରେନର ଖାର୍କିଭ ସହରରେ ନବୀନ ଖାଦ୍ୟ ଆଣିବାକୁ ଏକ ସୁପର ମାର୍କେଟ ଯାଇଥିବା ବେଳେ ରୁଷ ସେନାର ଗୁଳିମାଡ଼ରେ ପ୍ରାଣ ହରାଇଥିଲେ । କର୍ଣ୍ଣାଟକ ସରକାର ନବୀନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି।

ନବୀନ ଶେଖରପ୍ପା ୟୁକ୍ରେନର ଆରକିଟେକ୍ଟୋରା ବେକାଟୋଭାରେ ରହୁଥିଲେ। ସେ ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରୁ ଡ଼ାକ୍ତରୀ ପାଠ ପଢୁଥିଲେ।

Leave A Reply

Your email address will not be published.