ଦିନକ ପରେ ଜନ୍ମାଷ୍ଟମୀ ରାଶି ଲଡୁରୁ ବଞ୍ଚିତ ହେବେ ଠାକୁର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ସ୍ଥିତ ସାନ ଜଗନ୍ନାଥ ତଥା ବାଣ୍ଠିଆ ଜଗନ୍ନାଥ ମନ୍ଦିର ପରିଚାଳନାରେ ସମସ୍ୟା ଲାଗି ରହିଛି। ଠାକୁରଙ୍କ ଭୋଗ ଲାଗି ସଉଦା ଠିକ ଭାବେ ଯୋଗାଯାଉ ନଥିବା ବେଳେ ଜନ୍ମାଷ୍ଟମୀରେ ରାଶି ଲଡୁରୁ ଠାକୁର ବଞ୍ଚିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଦିନକ ପରେ ଜନ୍ମାଷ୍ଟମୀ ଥିବା ବେଳେ ଲଡୁ ପାଇଁ ରାଶି କିମ୍ବା ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇନାହିଁ। ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ଭୋଗ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ଅନୁଯାୟୀ ସଉଦା ମିଳୁନାହିଁ। ଯାହା ଫଳରେ ଦିଅଁଙ୍କୁ ଠିକ ସମୟରେ ଭୋଗ ଲାଗି ହୋଇପାରୁନାହିଁ। ଗତ ୬ତାରିଖରେ ସଉଦା ଆସିନଥିବା ବେଳେ ଭୋଗ ପ୍ରସ୍ତତ ହୋଇନଥିଲା।

ଯାହାକୁ ନେଇ ଦିନ ତମାମ ଠାକୁର ଉପବାସ ରହିଥିବା ବେଳେ ନୀତିରେ ବିଭ୍ରାଟ ଘଟିଥିଲା। ଏନେଇ ଖବର ପ୍ରକାଶ ପରେ ସଉଦା ଯୋଗାଇ ଦେଇଥିଲେ। ତେବେ ଉକ୍ତ ସମସ୍ୟା ବାରମ୍ବାର ହେଉଥିଲେ ସୁଦ୍ଧା ସମାଧାନ ହେଉନାହିଁ। ସୋମବାର ଠାକୁରଙ୍କ ଜନ୍ମାଷ୍ଟମୀ ପୂଜା ଥିବା ବେଳେ ଲଡୁ ପ୍ରସ୍ତୁତି ପାଇଁ ରାଶି ଯୋଗାଇ ଦିଆଯାଇନାହିଁ। ଜନ୍ମାଷ୍ଟମୀର ସପ୍ତାହକ ପୂର୍ବରୁ ୧୧କିଲୋ ୫୦୦ଗ୍ରାମର ରାଶି ଆସିଥାଏ। କିନ୍ତୁ ଚଳିତ ବର୍ଷ ଦେବତ୍ତର ବିଭାଗର ଖାମଖିଆଳି ନୀତି ପାଇଁ ବିଭ୍ରାଟ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦେବତ୍ୱର ବିଭାଗର ସମ୍ପତ୍ତିରୁ ଅନେକ ଟଙ୍କା ଖଜଣା ମିଳୁଛି। କିନ୍ତୁ ବିଭାଗ ପକ୍ଷରୁ ମନ୍ଦିର ପ୍ରତି ତାଙ୍କର ଦୃଷ୍ଟି ପଡୁନାହିଁ। ମନ୍ଦିରରେ ଠାକୁରଙ୍କ ଭୋଗ ନିମନ୍ତେ ଦେବତ୍ୱର ବିଭାଗ ପକ୍ଷରୁ ଏକ ତେଜରାତି ଦୋକାନକୁ ରୋଷେଇ ସାମଗ୍ରୀ ଦେବାକୁ ଟେଣ୍ଡର ପ୍ରଦାନ କରାଯାଇଛି। ପ୍ରତିଦିନ ଉକ୍ତ ଦୋକାନରୁ ରୋଷେଇ ସାମଗ୍ରୀ ଆସି ଦିଅଁଙ୍କୁ ଭୋଗ ଲାଗି ହୋଇଥାଏ। କିନ୍ତୁ ଦୋକାନରୁ ସାମଗ୍ରୀ ଆସୁଥିବା ବେଳେ ଦେବତ୍ୱର ବିଭାଗ ପକ୍ଷରୁ ସଉଦା ଟଙ୍କା ପ୍ରଦାନ କରାଯାଉନାହିଁ।

ବହୁ ଦିନ ହେବ ଲକ୍ଷ ଲକ୍ଷ ଟଙ୍କା ସଉଦା ଅର୍ଥ ବକେୟା ରହିଥିବାରୁ ଉକ୍ତ ଦୋକାନୀ ସାମଗ୍ରୀ ପ୍ରଦାନ କରୁନାହାଁନ୍ତି। ଯାହାକୁ ନେଇ ଦେବତ୍ୱର ବିଭାଗକୁ ଜଣାଇଥିଲେ ମଧ୍ୟ କଥାକୁ ଗୁରୁତ୍ୱର ଦେଉନଥିଲେ। ଯାହାକୁ ନେଇ ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ଦିଅଁଙ୍କୁ ଭୋଗ ଲାଗି ହେବାରେ ଅନେକ ଅସୁବିଧା ଉପୁଜିଛି। ଏହିପରି ଭାବେ ବାରମ୍ବାର ଦେବତ୍ୱର ବିଭାଗର ଅବହେଳା ପାଇଁ ନୀତିକ୍ରାନ୍ତିରେ ବିଭ୍ରାଟ ହେଉଛି ବୋଲି ମନ୍ଦିରର ପୂଜକ ସୁନୀଲ କୁମାର ପଣ୍ଡା ଓ ଅନ୍ୟାନ୍ୟ ସେବାୟତ ମାନେ ଅଭିଯୋଗ କରିଛନ୍ତି। ଠାକୁରଙ୍କ ନୀତିକାନ୍ତି ପାଇଁ ଲାଗୁଥିବା ସାମଗ୍ରୀ ଯଥା ସମୟରେ ପହଞ୍ଚୁ ନାହିଁ ଯାହା ଫଳରେ ମନ୍ଦିର ପରିଚାଳନାରେ ନାନାଦି ସମସ୍ୟା ମାନ ସୃଷ୍ଟି ହେଉଛି। ତେବେ ଉକ୍ତ ସମସ୍ୟା ନେଇ ଉପ ଜିଲ୍ଲାପାଳ ତଥା ଦେବତ୍ୱର ଅଧିକାରୀ ଈଶ୍ୱର ଚନ୍ଦ୍ର ନାଏକଙ୍କୁ ଜଣାଇବାରୁ ସେ ପାଣ୍ଠିର ଅଭାବ ଅଛି ବୋଲି କହିଥିଲେ। ତାଙ୍କ କହିବା ଅନୁଯାୟୀ ମନ୍ଦିରକୁ ସାମଗ୍ରୀ ଯୋଗାଉଥିବା ବିଭିନ୍ନ ଦୋକାନ ଗୁଡିକରେ ଲକ୍ଷାଧିକ ଟଙ୍କା ଧାର ପଡ଼ିଥିବାରୁ ସେମାନେ ପୂଜା ସାମଗ୍ରୀ ଦେବାକୁ ମନା କରିଦେଉଛନ୍ତି। ଦେବତ୍ୱର ବିଭାଗ ମନ୍ଦିର ପରିଚାଳନ ଦାୟିତ୍ୱ ସମ୍ଭାଳି ପାରୁନାହିଁ ତେବେ ଜିଲ୍ଲାବାସୀଙ୍କୁ ମନ୍ଦିର ପରିଚାଳନାର ଭାର ହସ୍ତାନ୍ତର କରନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ଦୀପକ କୁମାର ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.