ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ଗୁରୁବାର ଏକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଅରବିନ୍ଦ ପଟ୍ଟନାୟକ ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନେଇ ଶୁଣାଣି କରିଛନ୍ତି। ଏଥି ସହିତ ୫ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ନେଇ ରାୟରେ ଉଲ୍ଲେଖ କରିଛନ୍ତି।
ଅଭିଯୁକ୍ତ ଜଣକ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ଛାନଛୁନିଆ ଗ୍ରାମ ଉରୁସାହି ଅଞ୍ଚଳର ସୁନୀଲ ରାଉତ ଓରଫ ହେମ୍ବ୍ରମ(୨୩)। ଏଥି ସହିତ ଅନ୍ୟ ଅଭିଯୁକ୍ତ ଉକ୍ତ ଗ୍ରାମର ସମ୍ବରାଇ ହେମ୍ବ୍ରମ ଓରଫ ସମ୍ରାଟ(୨୨) ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୨୦/୧୦/୨୦୧୯ରେ ଉକ୍ତ ଗ୍ରାମର ସୁବୁନି ଚାଟ୍ଟାରକୁ ହତ୍ୟା କରିଥିଲେ। ସୁବୁନି ରାତିରେ ଘରେ ଶୋଇଥିବା ବେଳେ ଉଭୟ ଘର ମଧ୍ୟକୁ ପ୍ରବେଶ କରି କଟୁରିରେ ମୁଣ୍ଡକୁ ପ୍ରହାର କରିଥିଲେ। ଉକ୍ତ ସମୟରେ ତାଙ୍କ ପାଖରେ ଶୋଇଥିବା ନାତୁଣୀ ଦେଖି ପାଟି କରିବାରୁ ସେମାନେ ଘଟଣାସ୍ଥଳରୁ ଖସି ଯାଇଥିଲେ।
ଆଘାତ ଲାଗି ଅନେକ ପରିମାଣର ରକ୍ତସ୍ରାବ ହେଉଥିବା ବେଳେ ଉଦ୍ଧାର କରି ଉଦଳା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରଥମେ ପିଆରଏମ ହସ୍ପିଟାଲକୁ ସ୍ଥାନାତ୍ୱର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣାକୁ ନେଇ ତାଙ୍କ ପୁଅ ବୁଦ୍ଧିରାମ ଚାଟ୍ଟାର କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ କେଶ ନମ୍ବର ୧୪୫/୨୦୧୯ରେ ଏକ ମାମଲା ରୁଜୁ କରି ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ମାମଲାର ବିଚାର ସମୟରେ ସାକ୍ଷୀଙ୍କ ବୟାନ, ତଦନ୍ତ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାକୁ ସରକାରୀ ପିପି ସସ୍ମିତା ମହାପାତ୍ର ପରିଚାଳନା କରୁଥିଲେ।