ଆଜି ପବିତ୍ର ଜନ୍ମାଷ୍ଟମୀ: ଚଳଚଞ୍ଚଳ ପୁରପଲ୍ଲୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସିବେ କଳା କହ୍ନେଇ । ଉତ୍ସବ ମୁଖର ଗାଁଠୁ ସହର । ସେଥିପାଇଁ ସଜେଇ ହୋଇଛି ମଠ, ମନ୍ଦିର । ସାରା ଜଗତ ଯେତେବେଳେ ନିଘୋଡ ନିଦରେ ଶୋଇଥିବ ସେତେବେଳେ ଜନ୍ମ ନେବେ ଯଶୋଦା ନନ୍ଦନ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍‌ ମହତ୍ତ୍ୱ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ।

ସବୁଠି ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ। ସାରା ଭାରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳିତ ହେଉଛି ଏହି ପର୍ବ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି। ସଂନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ।ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ଼ ଭୋଗ ସହ ଗର୍ଭଉଦକ ବନ୍ଦାପନା ନୀତି କରାଯାଇଥିଲା। ଆଜି ମହାଜନ ସେବକଙ୍କ ଦ୍ୱାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ଜନ୍ମ ଚକଡ଼ାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ।

ସଂନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ସମ୍ମୁଖ ଭାଗରେ ପୂଜାପଣ୍ଡା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳୀ ଅଙ୍କନ କରିବେ।  ଦେଶ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଆଡମ୍ବର ସହକାରେ ପାଳନ ହେଉଛି ଶ୍ରୀକୃଷ୍ଣ ଜନ୍ମୋତ୍ସବ। ଏଥିପାଇଁ ଭୁବନେଶ୍ଵର ଇସ୍କନ ମନ୍ଦିରରେ ସକାଳୁ ସକାଳୁ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି। ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟି ରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି।

Comments are closed.