ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜେଲ୍ ଭିତରେ କନ୍ନଡ ଅଭିନେତା ଦର୍ଶନଙ୍କୁ ମିଳୁଛି ଭିଆଇପି ସୁବିଧା। ଏହାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ୍କୁ ଆସିଛନ୍ତି କର୍ଣ୍ଣାଟକ ସରକାର। ଏହି ମାମଲାରେ ୭ ଜେଲ୍ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି | ଗତକାଲି ହତ୍ୟା ମାମଲରେ ଜେଲ୍ରେ ଥିବା କନ୍ନଡ ଅଭିନେତାଙ୍କ ଏକ ଫଟୋ ଭାଇରାଲ ହୋଇଥିଲା। ସେ ଜେଲ୍ ଭିତରେ ଅନ୍ୟ କିଛି ସାଥୀଙ୍କ ସହ ଏକ ବଗିଚାରେ ବସି ହାତରେ ସିଗାରେଟ୍ ଓ କପ୍ ଧରିଥିବା ନଜର ଆସିଥିଲେ।
ତେବେ ଏହାର ଦିନକ ପରେ ଜେଲ୍ ଭିତରୁ ପୁଣି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଫୋନ୍ରେ ଭିଡିଓ କଲ୍ରେ କଥା ହେଉଥିବା ନଜର ଆସିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ କର୍ଣ୍ଣାଟକ ସରକାର ବରିଷ୍ଠ ଅଧିକାରୀଙ୍କୁ ସମନ ଜାରି କରିଥିଲେ। ଏଥିସହ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ତଦନ୍ତ ପରେ ୭ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଜେଲ ଭିତରେ ଦର୍ଶନଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦିଆଯିବା ଘଟଣା ଅଭିଯୋଗରେ ଗୃହମନ୍ତ୍ରୀ ୨ ଜଣ ଜେଲରଙ୍କ ସମେତ ୭ ଜଣ ଜେଲ୍ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।
ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ ଥିବା ଦର୍ଶନ ତାଙ୍କ ମ୍ୟାନେଜର ଏବଂ କିଛି ଅପରାଧୀଙ୍କ ସହ ଖୋଲା ସ୍ଥାନରେ ବସି ଚା ଏବଂ ସିଗାରେଟ ଟାଣୁଥିବାର ଦେଖାଯାଇଛି। ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ହଇଚଇ ଆରମ୍ଭ ହୋଇଯାଇଥିଲା। କର୍ଣ୍ଣାଟକ ଗୃହମନ୍ତ୍ରୀ କହିଛନ୍ତି, ‘ମୁଁ ଗତକାଲି ସନ୍ଧ୍ୟା ସାଢ଼େ ୪ଟାରେ ଜେଲ୍ ଭିତରେ ଦର୍ଶନ ଏବଂ ୩ ଜଣ ଲୋକ ଚା’ ପିଇ ବିଶ୍ରାମ ନେଉଥିବା ସୂଚନା ପାଇଥିଲି। ଏହାପରେ ମୁଁ ଡିଜି ଜେଲ ସହିତ କଥା ହୋଇ ଘଟଣାସ୍ଥଳକୁ ଅଧିକାରୀଙ୍କୁ ପଠାଇଥିଲି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଘଟଣାର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଏହି ମାମଲାରେ ୭ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।’