ଆଜିଠାରୁ ପ୍ୟାରିସ୍‌ ପାରାଅଲିମ୍ପିକ୍ସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଆଜିଠାରୁ ପାରା ଅଲିମ୍ପିକ୍ସର ୧୭ତମ ସଂସ୍କରଣ ଆରମ୍ଭ ହେବ। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସକୁ ତୃତୀୟଥର ପାଇଁ ସଫଳତାର ସହ ଆୟୋଜନ କରିବା ପରେ ପ୍ୟାରିସ ପ୍ରଥମଥର ପାଇଁ ପାରାଅଲିମ୍ପିକ୍ସ ଆୟୋଜନ କରିବ। ପାରାଅଲିମ୍ପିକ୍ସର ଏହି ୧୭ତମ ସଂସ୍କରଣ ଉପରେ ସାରା ବିଶ୍ୱର ନଜର ରହିଛି। ଏହି କ୍ରୀଡ଼ା ମହାକୁମ୍ଭର ଇଭେଣ୍ଟଗୁଡିକ ପ୍ୟାରିସ ଓ ତା’ର ଉପକଣ୍ଠରେ ଥିବା ୧୮ଟି ଭେନ୍ୟୁରେ ଆୟୋଜନ ହେବ।

ପାରା ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଏଥର ସ୍ୱତନ୍ତ୍ର ହେବ। ପ୍ୟାରିସ ସର୍ବବୃହତ୍‌ ସର୍ବସାଧରଣ ସ୍ଥାନ ତଥା ଛକରେ ଭାରତୀୟ ସମୟ ରାତି ୧୧.୩୦ରେ ଉଦ୍‌ଘାଟନି ଉତ୍ସବ ଆରମ୍ଭ ହେବ। ଫ୍ରାନ୍ସର ଜଣାଶୁଣା ଅଭିନେତା ତଥା କଳା ନିର୍ଦ୍ଦେଶକ ଥୋମାସ ଜଲି ଏହି ଉତ୍ସବର ନିର୍ଦ୍ଦେଶକ ରହିଛନ୍ତି। ସେହିପରି ସ୍ୱିଡେନର ବାଲେଟ ଡ୍ୟାନ୍ସର ତଥା ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶକ ଆଲେକଜାଣ୍ଡର ଏକମ୍ୟାନ ଉଦ୍‌ଘାଟନ ଉତ୍ସବରେ ନର୍ତ୍ତକ ନର୍ତ୍ତକୀଙ୍କୁ ନିର୍ଦ୍ଦେଶନା ଦେବେ। ପ୍ୟାରିସର ଚାମ୍ପ- ଏଲିସେସ୍‌ରେ ବିଭିନ୍ନ ଦେଶର ଆଥଲେଟମାନେ ପରେଡରେ ଭାଗ ନେବେ। ଏହି ଉତ୍ସବରେ ରଙ୍ଗାରଙ୍ଗ ହେବା ସହ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ।

୬୫ ହଜାର ଦର୍ଶକ ଉଦ୍‌ଘାଟନୀ ଉତ୍ସବ ଦେଖିବାର ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି। ଉଦ୍‌ଘାଟନୀ ଉତ୍ସବ ପରେଡରେ ଭାରତର ପୁରୁଷ ପାରା ଜାଭେଲିନ ଥ୍ରୋୟର ସୁମିତ ଆଣ୍ଟିଲ ଓ ମହିଳା ପାରା ସୁଟର ଭାଗ୍ୟଶ୍ରୀ ଯାଦବ ଭାରତୀୟ ପତାକା ତ୍ରିରଙ୍ଗା ବହନ କରିବେ। ସୁମିତ ଟୋକିଓରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସେହିପରି ଭାଗ୍ୟଶ୍ରୀ ହାଙ୍ଗଝୋଉ ଏସିଆନ ପାରା ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ଦୁହେଁ ଏଥର ସଫଳ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

Comments are closed.