ମାର୍ଚ୍ଚ ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଉଛି। ରାଜ୍ୟର ୧୦୬ଟି ମ୍ୟୁନ୍ସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ଵର, କଟକ ଏବଂ ବ୍ରହ୍ମପୁରରେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ଆଜି ଦିନକ ପ୍ରଚାର ପାଇଁ ଥିବାରୁ ମଇଦାନରେ ସମର୍ଥକ ଏବଂ କର୍ମୀଙ୍କ ପାଇଁ ହେଭୀୱେଟ୍ ନେତା ଜୋରଦାର ପ୍ରଚାର କରୁଛନ୍ତି। ସମସ୍ତ ପୌରାଞ୍ଚଳ ଓ ଏନ୍ଏସିରେ ଜୋରଦାର ପ୍ରଚାର ଚାଲିଛି। ହେଭୀୱେଟ୍ ଓ ସେଲେବ୍ରିଟିଙ୍କ ସାହାରା ନେଇ ପ୍ରାର୍ଥୀମାନେ ପ୍ରଚାର କରୁଛନ୍ତି। ବିଜେପି ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ସମେତ ବରିଷ୍ଠ ନେତାମାନେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ପ୍ରଚାର କରୁଛନ୍ତି। ସେହିଭଳି ବିଜେଡି ପାଇଁ ଦଳର ତୁଙ୍ଗ ନେତା ମଇଦାନକୁ ଓହ୍ଲାଇଛନ୍ତି। ନବଗଠିତ ରେମୁଣା, ଚାନ୍ଦବାଲି, ଧାମନଗର ଓ ବିଜେପୁର ଏନ୍ଏସିରେ ପ୍ରଥମ ଥର ପାଇଁ ପୌର ନିର୍ବାଚନ ହେଉଥିବାରୁ ପ୍ରାର୍ଥୀ ଓ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଏନ୍ଏସିରେ ପୌର ନିର୍ବାଚନର ଉଷ୍ଣତା। ଆଉ ମାତ୍ର ଗୋଟିଏ ଦିନ ଥିବାରୁ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ପ୍ରାର୍ଥୀମାନେ ବୁଲି ଭୋଟ ଭିକ୍ଷା କରୁଛନ୍ତି। ୧୧ ୱାର୍ଡ ବିଶିଷ୍ଟ ଗୁଡ଼ାରୀ ଏନ୍ଏସିକୁ ପୁଣି ଥରେ ଦାଖଲ କରିବାକୁ ଜୋର୍ ଲଗାଇଦେଇଛି ଶାସକ ଦଳ ବିଜେଡ଼ି। ବିଜେଡ଼ିରୁ ସର୍ମିତା ଶବର ଅଧ୍ୟକ୍ଷା ପଦ ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ଦୁଇ ଦୁଇ ଥର ପରିଷଦ ଗଠନ କରିଥିବା ବିଜେପି ମଧ୍ୟ କ୍ଷମତାକୁ ଫେରିବାକୁ କଡ଼ ସଂଘର୍ଷ କରୁଛି। ସେପଟେ କଂଗ୍ରେସର ଅଧ୍ୟକ୍ଷା ପ୍ରାର୍ଥୀ ମଧ୍ୟ ନିଜ ସମର୍ଥକଙ୍କୁ ଧରି ପ୍ରଚାର ଚଳାଇଛନ୍ତି। ତେବେ କେବଳ ଦେଖିବାକୁ ବାକି ରହିଲା କିଏ ବାଜିମାତ କରୁଛି।